Odia News Portal

ମହାରାଷ୍ଟ୍ର ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ; ବୁଲା କୁକୁରଙ୍କୁ ଆସାମ ପଠାଇଦିଅ

ବୁଲା କୁକୁର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଆସାମ ପଠାଇ ଦିଅ ବୋଲି ମହାରାଷ୍ଟ୍ରର ବିଧାୟକ ତଥା ‘ପ୍ରହାର ଜନଶକ୍ତି ପାର୍ଟି’ର ମୁଖ୍ୟ ବଚ୍ଚୂ କଡୂ ପ୍ରସ୍ତବ ଦେଇ ବିବାଦର ସୂତ୍ରପାତ କରିଛନ୍ତି। କଡୂଙ୍କ କହିବା ଅନୁସାରେ, ଆସାମର ସ୍ଥାନୀୟ ବାସିନ୍ଦାମାନେ କୁକୁର ଖାଆନ୍ତି।

ବିଧାୟକ ପ୍ରତାପ ସରନାଏକ ଓ ଅତୁଳ ଭଟଖାଲକର୍‌ ଆଗତ କରିଥିବା ବୁଲା କୁକୁରଜନିତ ସମସ୍ୟା ଉପରେ ସଂକ୍ରାନ୍ତରେ ବିଧାନସଭାରେ ଆଲୋଚନା ଚାଲିଥିବା ବେଳେ କୁଡୂ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ରାସ୍ତାଘାଟରେ ବୁଲାବୁଲି କରୁଥିବା ପୋଷା କକୁରମାନଙ୍କ ଉପରେ ଗ୍ରହଣ କରାଯିବାକୁ ଥିବା ‘ଆକ୍‌ସନ୍‌ ପ୍ଲାନ୍‌’ର ପ୍ରସ୍ତାବ ଦେବା ବ‌େଳେ କୁଡୂ କହିଲେ ଯେ, ପରୀକ୍ଷାମୂଳକ ଭାବେ ଗୋଟିଏ ସହରରେ ଏହାକୁ ଆରମ୍ଭ କରାଯିବା ଉଚିତ।

ସେ କହିଛନ୍ତି, ଆସାମରେ ବୁଲା କୁକୁରମାନଙ୍କର ଚାହିଦା ରହିଛି। ଗୋଟିଏ ଗୋଟିଏ କୁକୁର ୮୦୦୦ ଟଙ୍କାରେ ବିକ୍ରି ହେଉଛନ୍ତି। ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ସେମାନଙ୍କୁ ଆସାମ ପଠାଇ ଦିଆଯିବା ଉଚିତ।

ବିଧାୟକ କୁଡୂଙ୍କର ଏତାଦୃଶ ମନ୍ତବ୍ୟ ପ୍ରାଣୀ ଅଧିକାର କର୍ମୀମାନେ ତୀବ୍ର ସମାଲୋଚନା କରି କହିଛନ୍ତି, ଏହା ଅମାନବୀୟ ଓ ଭୟାବହ ପ୍ରସ୍ତାବ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ‘ବିଜେପି’ ବିଧାୟକ ବିରଞ୍ଚିନାରାୟଣ ମଧ୍ୟ ଅଳ୍ପ ଦିନ ତଳେ ବୁଲା କୁକୁର ଲୋକଙ୍କୁ କାମୁଡ଼ାକାମୁଡ଼ି କରୁଥିବା କଥା ଉଠାଇ କହିଥିଲେ, ରାଜ୍ୟ ସରକାର ଯଦି ଏ ସମସ୍ୟାର ସମାଧାନ କରିପାରୁ ନାହାନ୍ତି, ତେବେ ନାଗାଲାଣ୍ଡ୍‌ବାସୀଙ୍କୁ ଡାକନ୍ତୁ, ସମସ୍ୟାର ସମାଧାନ ହୋଇଯିବ।