Odia News Portal

ତଳକୁ ଖସିଲା ଓଡ଼ିଶା, ୧ନମ୍ବରରେ ମହାରାଷ୍ଟ୍ର

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ବ୍ୟବସ୍ଥାର ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଦ୍ୱିତୀୟ ଥର ପାଇଁ ଇଣ୍ଡିଆନ ଜଷ୍ଟିସ ରିପୋର୍ଟକୁ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି। ଟାଟା ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁସାରେ ଓଡ଼ିଶାର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଛି। ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ତାଲିକାରେ ଓଡ଼ିଶା ଗତବର୍ଷ ଅପେକ୍ଷା ତଳକୁ ଖସି ଯାଇଛି। ୨୦୧୯ରେ ଓଡ଼ିଶା ରାଙ୍କିଙ୍ଗର ୭ ନମ୍ବର ସ୍ଥାନରେ ଥିବା ବେଳେ ଏବେ ୪ଟି ସ୍ଥାନ ତଳକୁ ଖସି ୧୧ନମ୍ବରରେ ପହଞ୍ଚି ଯାଇଛି। ତେବେ ନ୍ୟାୟ ପ୍ରଦାନ କରିବା ତାଲିକାରେ ପୂର୍ବବର୍ଷ ଭଳି ମହାରାଷ୍ଟ୍ର ଏଥର ମଧ୍ୟ ୧ ନମ୍ବର ସ୍ଥାନରେ ରହିଛି।

ସେହିପରି ଗତବର୍ଷ ୩ ନମ୍ବର ସ୍ଥାନରେ ଥିବା ତାମିଲନାଡୁ ୨୦୨୦ରେ ୨ନମ୍ବରରେ ପହଞ୍ଚି ଯାଇଛି । ଗୋଟିଏ ବର୍ଷ ମଧ୍ୟରେ ତେଲେଙ୍ଗାନାରେ ନାୟିକ ବ୍ୟବସ୍ଥାରେ ଆଶାତୀତ ଉନ୍ନତି ଘଟିଛି । ୨୦୧୯ରେ ତେଲେଙ୍ଗାନା ୧୧ତମ ସ୍ଥାନରେ ଥିବା ବେଳେ ୨୦୨୦ରେ ଏହି ରାଜ୍ୟ ୩ନମ୍ବରରେ ପହଞ୍ଚି ଯାଇଛି । ପଞ୍ଜାବ ୪ନମ୍ବରରେ ଥିବା ବେଳେ ଗତବର୍ଷ ୨ନମ୍ବରରେ ଥିବା କେରଳ ଏଥର ୫ନମ୍ବରକୁ ଖସି ଆସିଛି। ୬ନମ୍ବରରେ ଗୁଜରାଟ, ୭ନମ୍ବରରେ ଛତିଶଗଡ଼, ଝାରଖଣ୍ଡରେ ୮ନମ୍ବରରେ, ୯ନମ୍ବରରେ ହରିଆଣା, ୧୦ନମ୍ବରରେ ରାଜସ୍ଥାନ, ୧୨ନମ୍ବରରେ ଆନ୍ଧ୍ର ପ୍ରଦେଶ, ୧୩ନମ୍ବରରେ ବିହାର, ୧୪ନମ୍ବରରେ କର୍ଣ୍ଣାଟକ, ୧୫ନମ୍ବରରେ ଉତ୍ତରାଖଣ୍ଡ, ୧୬ନମ୍ବରରେ ମଧ୍ୟପ୍ରଦେଶ, ୧୭ନମ୍ବରରେ ପଶ୍ଚିମବଙ୍ଗ ଓ ୧୮ନମ୍ବରରେ ଉତ୍ତର ପ୍ରଦେଶ ରହିଛି। ୧ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଗୁଡ଼ିକର ସ୍ଥିତି ସମୀକ୍ଷା କରି ସର୍ଭେରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ୧ କୋଟିରୁ କମ ଜନସଂଖ୍ୟା ବିଶିଷ୍ଟ ତାଲିକାର ୧ନମ୍ବର ସ୍ଥାନରେ ତ୍ରିପୁରା, ୨ନମ୍ବରରେ ସିକ୍କିମ, ୩ନମ୍ବରରେ ଗୋଆ, ୪ନମ୍ବରରେ ହିମାଚଳ, ୫ନମ୍ବରରେ ଅରୁଣାଚଳ, ୬ନମ୍ବରରେ ମିଜୋରାମ ଓ ୭ନମ୍ବରରେ ମେଘାଳୟ ରହିଛି। ନ୍ୟାୟ ଦେବାରେ ସରକାରୀ ବ୍ୟବସ୍ଥାକୁ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଦୀର୍ଘ ୧୪ ମାସ ଧରି ସର୍ଭେ କରାଯିବା ପରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶର ନ୍ୟାୟପାଳିକାରେ ମାତ୍ର ୨୯% ମହିଳା ଅଛନ୍ତି। ଜେଲରେ ଥିବା ଦେଶର ଦୁଇ ତୃତୀୟାଂଶ ଲୋକଙ୍କୁ ଏଯାଏ ଦଣ୍ଡବିଧାନ କରାଯାଇନି।