Odia News Portal

ଆମ ଆଦମୀ ପାର୍ଟିରେ ବଡ଼ ଧରଣର ବିଭାଜନ, ବିଜେପିରେ ମିଶିଲେ ୭ ସାଂସଦ

ଆପ୍ ରାଜନୀତିରେ ଝଡ଼ । ଆମ ଆଦମୀ ପାର୍ଟିର ବଡ଼ ଧରଣର ବିଭାଜନ । ବିଜେପିରେ ମିଶିଲେ AAPର ୭ ସାଂସଦ! । ବିଜେପିକୁ ଯାଇଥିବା ୭ ସାଂସଦମାନେ ହେଲେ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମ ସାହନି ଏବଂ ସ୍ୱାତି ମାଲିୱାଲ। ଆଜି ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ଉପସ୍ଥିତିରେ ଦିଲ୍ଲୀ ବିଜେପି ପାର୍ଟି ଅଫିସ ଯାଇ ସାମିଲ ହୋଇଛନ୍ତି ରାଘବ ଚଢାଙ୍କ ସହ ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକ ।ଆପର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଘୋଷଣା କରିଛନ୍ତି , ଦଳର ଦୁଇ-ତୃତୀୟାଂଶରୁ ଅଧିକ ସାଂସଦ ବିଜେପି ସହ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସକାଳେ ଏହି ମିଶ୍ରଣ ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରାଯାଇଛି। ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ରାଘବ ଚଢ଼ା କହିଥିଲେ, ଆମେ ନିଷ୍ପତ୍ତି ନେଇଛୁ ରାଜ୍ୟସଭାରେ AAPର ଦୁଇ-ତୃତୀୟାଂଶ ସଦସ୍ୟ ଭାରତୀୟ ସମ୍ବିଧାନର ନିୟମ ଅନୁଯାୟୀ ବିଜେପି ସହ ମିଶ୍ରଣ କରୁଛୁ।ରାଜ୍ୟସଭାରେ AAPର ୧୦ ଜଣ ସାଂସଦ ଅଛନ୍ତି, ସେମାନଙ୍କ ମଧ୍ୟରୁ ୭ ଜଣ ଆମ ସହିତ ଅଛନ୍ତି। ଆମେ ସ୍ୱାକ୍ଷରିତ ଚିଠି ଅଧ୍ୟକ୍ଷଙ୍କୁ ଦେଇଛୁ।  ଯେହେତୁ ୧୦ ଜଣରୁ ୭ ଜଣ (ଦୁଇ-ତୃତୀୟାଂଶ) ସାଂସଦ ଏହି ନିଷ୍ପତ୍ତି ନେଇଛନ୍ତି, ତେଣୁ ସମ୍ବିଧାନର ‘ଦଳବଦଳ ବିରୋଧୀ ଆଇନ’ ଅନୁଯାୟୀ ସେମାନଙ୍କ ସଦସ୍ୟତା ରଦ୍ଦ ହେବ ନାହିଁ ।  ଏହି ମିଶ୍ରଣ ଫଳରେ ରାଜ୍ୟସଭାରେ ବିଜେପି ଏବଂ NDAର ସଂଖ୍ୟା ଗରିଷ୍ଠତା ଆହୁରି ବୃଦ୍ଧି ପାଇବ ।  ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପାଇଁ ଏହା ଏକ ବଡ଼ ବିପର୍ଯ୍ୟୟ ।