Odia News Portal

ମମତା ସରକାରଙ୍କୁ ‘ସୁପ୍ରିମ୍’ ଝଟକା

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ମାମଲାରେ ମମତା ବାନାର୍ଜୀ ସରକାରକୁ ବଡ଼ ଝଟକା ଲାଗିଛି । କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ପାଇଁ କଲିକତା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ନିର୍ବାଚନ ଆୟୋଗ ଓ ମମତ ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟଙ୍କ ନିଷ୍ପତ୍ତିରେ କୌଣସି ଅସୁବିଧା ନାହିଁ।

ଆଜି‌ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, କଲିକତା ହାଇକୋର୍ଟ ବୋଧହୁଏ ଭାବିଥିବେ ଯେ ଅନ୍ୟ ପଡ଼ୋଶୀ ରାଜ୍ୟରୁ ସୁରକ୍ଷା ବଳ ଲୋଡ଼ିବା ପରିବର୍ତ୍ତେ କେନ୍ଦ୍ରୀୟ ବାହିନୀ ମୁତୟନ କରିବା ଭଲ । ଏହାର ଖର୍ଚ୍ଚ କେନ୍ଦ୍ର ବହନ କରିବ। ରାଜ୍ୟ ନିର୍ବାଚନ ଆୟୋଗକୁ ଭର୍ତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ନିର୍ବାଚନ ହିଂସା ଘଟାଇବା ପାଇଁ ଲାଇସେନ୍ସ ନୁହେଁ ।

ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ରାଜ୍ୟ ନିର୍ବାଚନ ଆୟୋଗର ଦାୟିତ୍ବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ନିର୍ବାଚନ ହିଂସା ଦୃଷ୍ଟିରୁ ନିକଟରେ କଲିକତା ହାଇକୋର୍ଟ ସମଗ୍ର ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ। କିନ୍ତୁ ହାଇକୋର୍ଟ ଆଦେଶ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଉଭୟ ଆବେଦନକୁ ଏକାଠି ଶୁଣାଣି କରିଥିଲେ ।