Odia News Portal

ବେଧଡ଼କ ମାଫିଆମାନେ ଖୋଲୁଛନ୍ତି ମାଙ୍କେଡ଼ା ପଥର

ପିପିଲି: ବେଧଡକ ଚାଲିଛି ମାଙ୍କେଡା ପଥର ଖୋଳା । ନା ଆଇନକୁ ଡରଭୟ ଅଛି ନା ଖାତିର । ପଥର ମାଫିଆଙ୍କ କବଜାରେ ଡେଲାଙ୍ଗ ବ୍ଲକ ରେଂଘଳ ଅଂଚଳର ଝାରପଡା । ପ୍ଲଟ ନମ୍ବର ୨୦୬ ଓ ୨୦୮ରେ ଥିବା ପ୍ରାୟ ୩୦ ଏକର ଜମିର କିସମ ସମ୍ପୂର୍ଣ୍ଣ ଜଙ୍ଗଲ ଓ ଗୋଚର ହୋଇଥିବା ବେଳେ ସେଠାରେ ଖଣି ଖନନ ସମ୍ପୂର୍ଣ୍ଣ ବେଆଇନ । ତଥାପି ସେଠାରେ ରାତି ତ ରାତି ଦିନ ଦିପହରେ ବି ଖୋଳା ହେଉଛି ମାଙ୍କଡା ପଥର । କିଛି ଅସମାଜିକ ବ୍ୟକ୍ତି ଓ ପଥର ମାଫିଆ ମିଶି ଏଠାରେ ରାଜସ୍ୱ ଲୁଟୁଥିବା ବେଳେ ସବୁ ଦେଖି ଚୁପ ବସୁଛି ପ୍ରଶାସନ । ଯାହାକୁ ନେଇ ଉଠିଛି ବଡପ୍ରଶ୍ନ ।

ରାତି ହେଉ କି ଦିନ । ସବୁ ସମୟରେ ଚାଲୁଛି ଖଣି । ବୁହା ଚାଲିଛି ଟ୍ରିପ ଟ୍ରିପ ପଥର । ବେଆଇନ ଖନନ ଫଳରେ ସେହି ସ୍ଥାନରେ ୫୦/୬୦ ଫୁଟ ଗଭୀରର ବିରାଟ ଖାଲ ସୃଷ୍ଟି ହେଲାଣି । ବେଆଇନ ମାଙ୍କେଡା ଚୋରାଚାଲାଣ ହେଉଥିବା ସମସ୍ତେ ସବୁ ଜାଣୁଥିଲେ ବି ଯେମିତି ସଭିଏଁ ଜାଣି ଅଜଣା ସାଜିଛନ୍ତି । ଏ ହେଉଛନ୍ତି ରାତିରେ ଖଣି ଚାଲୁଥିବାର ଏକ୍ସକ୍ୟୁସିଭ ଭିଜୁଆଲ । ଆଉ ଏମିତି ଟ୍ରିପ ଟ୍ରିପ ପଥର ଚାଲାଣ ହେଉଛି ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଂଜି । ସବୁଠୁ ବଡକଥା ହେଲା, ଏହି ବେଆଇନ ଖନନକୁ ବିରୋଧ କରି ମାନ୍ୟବର ଉଚ୍ଚ ନ୍ୟାୟାଳରେ ମାମଲା ଦାୟର ହୋଇଥିବା ବେଳେ ଖଣି ଖନନ ବନ୍ଦ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ନିରବତା ପାଇଁ ପୁଣି ଜବରଦସ୍ତ ଖଣି ଖୋଳି ପଥର ବିକୁଛନ୍ତି ମାଫିଆ ।

ଏବେ ପ୍ରଶ୍ନ ଉଠିଛି, କାହା ବାହୁବଳେ ଚାଲିଛି ଖଣି ? ପଥର ମାଫିଆଙ୍କ ଉପରେ ପ୍ରଶାସନର ଅହେତୁକ ଅନୁକମ୍ପା କାହିଁକି ? ମିଲିଭଗତରେ ହେଉଛି କି ରାଜସ୍ୱ ଲୁଟ୍ ? ଖଣି ଚାଲୁଛି, ରାଜସ୍ୱ ଲୁଟ ହେଉଛି, ଡେଲାଙ୍ଗ ତହସିଲଦାରଙ୍କ ପାଖରେ ଏ ଖବର ଅଛି ନା ନାହିଁ । ଯଦି ନାହିଁ ଆଶା କରିବୁ ଖବର ପ୍ରସାରଣ ପରେ ସତସାହସ ଦେଖାଇ ଖଣିରେ ଚଢ଼ାଉ କରନ୍ତୁ ତହସିଲଦାର । ନହେଲେ ବୁଝିନେବାକୁ ପଡିବ ପବ୍ଲିସିଟି ଷ୍ଟଂଟ ପାଇଁ ତହସିଲଦାର ମହୋଦୟ ଖାଲି ରାସ୍ତାକଡରୁ ଶାଗ କିଣିବାରେ ପାରଙ୍ଗମ ।