Odia News Portal

ପୁଣି ମଣିପୁରରେ ବହିଲା ରକ୍ତ ନଦୀ

ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଗତକାଲି ୪ ଜଣଙ୍କୁ ନିର୍ମମ ହତ୍ୟା କରିଛନ୍ତି। ବିଷ୍ଣୁପୁର-ଚୁରଚାନ୍ଦପୁର ସୀମାନ୍ତରେ ଏହି ବର୍ବର କାଣ୍ଡ ଘଟିଛି। ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ କାଟି ଦିଆଯାଇଥିବା ସୂଚନା ମିଳିଛି।

ସେହିପରି ଆଉ ୫ ଜଣ ମଧ୍ୟ ରକ୍ତାକ୍ତ ସଂଘର୍ଷରେ ଗୁରୁତର ଆହତ ହୋଇଛନ୍ତି। କୁମ୍ବି ବିଧାନସଭା କ୍ଷେତ୍ର ଅଧୀନ ଏକ ଅଞ୍ଚଳରେ ଏହି ରକ୍ତପାତ ହୋଇଛି। ସେପଟେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ନିଜେ ହିଂସାକାଣ୍ଡ ସ୍ଥଳ ବୁଲି ସ୍ଥିତି ପରଖିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ୩ ଜଣ ଗ୍ରାମରକ୍ଷୀଙ୍କୁ ହତ୍ୟା କରିଛନ୍ତି। ଯେଉଁମାନେ କି ଘାଟି ଅଞ୍ଚଳ ବୁଲିବାକୁ ଆସିଥିଲେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଚୁରଚାନ୍ଦପୁରରେ ଲାଙ୍ଗଜା ଓ ଚିଙ୍ଗଲାନ୍‌ମେଇର କୁକି ଗାଁ ନିଟକ ରାସ୍ତା ଉପରକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ପୁଣି ଆଉ ଜଣେ ଗ୍ରାମରକ୍ଷୀଙ୍କୁ ହତ୍ୟା କରାଯାଇଥିଲା।

ସୂଚନାଥାଉ କି, ୨୨ ହଜାର ୩୨୭ ବର୍ଗ କିଲୋମିଟର ପରିମିତ ମଣିପୁରର ୧୦ ପ୍ରତିଶତ ଘାଟି ଅଂଚଳ ହୋଇଥିବା ବେଳେ ୮୯ ପ୍ରତିଶତ ପାହାଡ ଅଂଚଳ । ସେଠାରେ ମୁଖ୍ୟତଃ ୩ଟି ସମ୍ପଦ୍ରାୟ ମେଇତି, ନାଗା ଓ କୁକି ରହିଥାନ୍ତି । ନାଗା ଓ କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଥିବା ବେଳେ ମେଇତିଙ୍କୁ ଏପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ । କିନ୍ତୁ ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଇତି ସମ୍ପ୍ରଦାୟ ଏହି ମାନ୍ୟତା ପାଇଁ ଦାବି ଜୋର କରିଥିଲେ।