Odia News Portal

ଦିଲ୍ଲୀ ରାଓଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ କଲେ ସିସୋଦିଆ, ଆଜି ହେବ ଶୁଣାଣି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଜାମିନ ପାଇଁ ଶୁକ୍ରବାର ଦିଲ୍ଲୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସିବିଆଇ ଦ୍ବାରା ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବାର ପ୍ରାୟ ସପ୍ତାହକ ପରେ ସ‌ିସୋଦିଆ ଜାମିନ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ଗ୍ରହଣ ନକରିବାରୁ ସିସୋଦିଆ ଜାମିନ ପାଇଁ ଦିଲ୍ଲୀ ରୋଜ୍‌ ଆଭେନ୍ୟୁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

ସିବିଆଇ ହାଜତ ମିଆଦ ଶେଷ ହେବାର ଦିନକ ପୂର୍ବରୁ ସେ ଶୁକ୍ରବାର ଦିନ ଜାମିନ ଆବେଦନ କରିଛନ୍ତି। ଆଜି ଅପରାହ୍ନ ୨ଟାରେ ସିସୋଦିଆଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସରକାରରେ ୩୩ ବିଭାଗରୁ ସିସୋଦିଆଙ୍କ ନିକଟରେ ୧୮ଟି ବିଭାଗ ଥିଲା। ସ୍ବାସ୍ଥ୍ୟ, ଅର୍ଥ, ଶିକ୍ଷା ଏବଂ ଗୃହ ବିଭାଗ ସମେତ ସିସୋଦିଆଙ୍କ ନିକଟରେ ମୋଟ୍‌ ୧୮ଟି ବିଭାଗ ଥିଲା। ସିସୋଦିଆଙ୍କୁ ଗିରଫ ପ୍ରତିବାଦରେ ଆପ୍‌ ବ୍ୟାପକ ଆନ୍ଦୋଳନାତ୍ମକ ପଦକ୍ଷେପ ହାତକୁ ନେଇଛି।