ଲୋକାର୍ପଣ ଅପେକ୍ଷାରେ ବହୁ ଶୌଚାଳୟ: ଶୌଚ ପାଇଁ ଦହଗଞ୍ଜ, ନିର୍ମାଣ ହେଉଛି, ସେବାରେ ଲାଗୁନି By Swadhikar News Last updated Sep 4, 2025 ରାଜଧାନୀ ଭୁବନେଶ୍ବରକୁ ରାଜ୍ୟ ତଥା ରାଜ୍ୟ ବାହାରୁ କୌଣସି ଜରୁରୀ କାମରେ ଅବା ବୁଲି ଆସୁଥିବା ଆଗନ୍ତୁକମାନେ ଶୌଚାଳୟ ଅଭାବ କାରଣରୁ କଲବଲ ହେଉଛନ୍ତି। ତେଣୁ ରାସ୍ତାକଡ଼ ମୁକ୍ତ ପରିସ୍ରାଗାର ପାଲଟିଛି। ଏହା ଏତେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ଯେ ସେହି ବାଟ ଦେଇ ଗଲେ ନାକରେ ରୁମାଲ ଦେଇ ଯିବାକୁ ପଡ଼ୁଛି। ସେପଟେ ଅନେକ ଜାଗାରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ ହୋଇଛି। କିନ୍ତୁ ସେସବୁ ଅବ୍ୟବହୃତ ଅବସ୍ଥାରେ ପଡ଼ିଛି। ସବୁଠି ତାଲା ଝୁଲୁଛି। ଅନୁସନ୍ଧାନରୁ ଜଣାପଡ଼ିଛି, ଏହାକୁ ଲୋକାର୍ପଣ କରିବା ପାଇଁ ଅତିଥି ଓ ପରିଚାଳନା ପାଇଁ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରି ନିଜ ପସନ୍ଦର ସଂସ୍ଥାଙ୍କୁ ଅପେକ୍ଷା କରାଯାଇଛି। ତେଣୁ ସ୍ବାୟତ୍ତ ଶାସନ ଦିବସ ପାଳନକୁ ଏହା ଉପହାସ କରୁଛି। ବିଏମ୍ସି କର୍ତ୍ତୃପକ୍ଷଙ୍କ କହିବା କଥା, ଲୋକଙ୍କ ବ୍ୟବହାର ପାଇଁ ଆମେ ୧୧୧ଟି ସାମୂହିକ, ୭୦ଟି ଗୋଷ୍ଠୀ ଶୌଚାଳୟ କରିଛୁ। ୨୫ଟି ଇ-ଶୌଚାଳୟ ରହିଛି। ଏକକାଳୀନ ଏହାକୁ ୧୪୬୫ଜଣ ବ୍ୟବହାର କରିପାରିବେ। କିନ୍ତୁ ତୃଣମୂଳସ୍ତରରେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। କେଉଁଠି ଶୌଚାଳୟରେ ପାଣି ଆସୁନି ତ’ କେଉଁଠି ସଫାସୁତରା କରାଯାଉନି। ଅନେକ ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। କିନ୍ତୁ ଏହାର ପରିଚାଳନାରେ ମାସିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଚଳିତବର୍ଷର ତଥ୍ୟ ଦେଖିଲେ, ମାର୍ଚ୍ଚରୁ ଅଦ୍ୟାବଧି ଏହି ଶୌଚାଳୟ ପରିଚାଳନାରେ ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ମାର୍ଚ୍ଚରେ ପ୍ରାୟ ୧.୪୫ କୋଟି ଟଙ୍କା ଶୌଚାଳୟ ପରିଚାଳନାରେ ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଯାହା ସ୍ବାର୍ଥରେ ଏତେ ଟଙ୍କା ଖର୍ଚ୍ଚ କରାଯାଉଛି, ସେମାନଙ୍କ ସେବାରେ ଏହା ଲାଗି ପାରୁନି। ଲୋକେ ରାସ୍ତାକଡ଼କୁ ଶ୍ରେୟ ମଣିଛନ୍ତି। ଶୌଚାଳୟ ନିର୍ମାଣରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ୩୧ ନମ୍ବର ୱାର୍ଡ କଥା ବିଚାରକୁ ନିଆଯାଇପାରେ। ଏହି ୱାର୍ଡ ଅନ୍ତର୍ଗତ ରସୁଲଗଡ଼ ଛକ ଏକ ଜନଗହଳିପୂର୍ଣ୍ଣ ସ୍ଥାନ। ଏହି ଛକ ଦେଇ ପ୍ରତିଦିନ ବିଭିନ୍ନ ଜିଲ୍ଲାର ଶତାଧିକ ବସ୍ ଚଳାଚଳ କରୁଛି। ଯାତ୍ରୀମାନେ ବସ୍ରେ ଯିବା ପାଇଁ ରସୁଲଗଡ଼ ଛକରେ ଅପେକ୍ଷା କରୁଛନ୍ତି ଓ ଏହି ଛକରେ ଓହ୍ଲାଇ ଘରକୁ ଯାଉଛନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ମହିଳା ଓ ପୁରୁଷଙ୍କ ପାଇଁ ତିନୋଟି ଶୌଚାଳୟ ନିର୍ମାଣ କରାଯାଇଛି। ଓଭର୍ହେଡ୍ ପାଣିଟାଙ୍କି ବସିଛି। ଷ୍ଟିଲ୍ ରେଲିଂ ଲାଗିଛି। ପ୍ରାୟ ୮ଲକ୍ଷ ଟଙ୍କା ନିର୍ମାଣରେ ବ୍ୟୟ କରାଯାଇଛି। ୩ ମାସ ତଳୁ ଶୌଚାଳୟ ନିର୍ମାଣ ସରିଥିଲେ ବି ସର୍ବସାଧାରଣଙ୍କ ସେବାରେ ଏହା ଲାଗିପାରିନି। ଏଠାରେ ତାଲା ଝୁଲୁଛି। ଆଜି ପର୍ଯ୍ୟନ୍ତ ଶୌଚାଳୟ ହସ୍ତାନ୍ତର ହୋଇପାରିନି। ଅବ୍ୟବହୃତ ଅବସ୍ଥାରେ ପଡ଼ିରହି ଆସବାବ ବି ନଷ୍ଟ ହେଲାଣି। ଲୋକେ ଶୌଚାଳୟ ମୁହଁରେ ପରିସ୍ରା କରୁଥିବାରୁ ଦୁର୍ଗନ୍ଧରେ ପଶି ହେଉନି । ଚଟାଣରେ ଶିଉଳି ମାଡ଼ିଗଲାଣି। ସମାନ ସ୍ଥିତି ରସୁଲଗଡ଼ ଫାଣ୍ଡି ନିକଟ ଶୌଚାଳୟର। ପ୍ରାୟ ସାଢ଼େ ୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଶୌଚାଳୟ ୬ ମାସ ତଳୁ ସରିଲାଣି। କିନ୍ତୁ ଏହା ହସ୍ତାନ୍ତର ହୋଇନି କି ଲୋକଙ୍କ ସେବାରେ ଲାଗିନି। ବାଣୀବିହାର ବସ୍ଷ୍ଟାଣ୍ଡ୍ ଛକର ସ୍ଥିତି ବି ସମାନ। ଲୋକଙ୍କ ଭିଡ଼ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ଶୌଚାଳୟ ନିର୍ମାଣ କରାଯାଇଛି। ନିର୍ମାଣ କେବେଠୁ ସରିଲାଣି। କିନ୍ତୁ ଶୌଚାଳୟ ଖୋଲାଯାଉନି। ୩୧ ନମ୍ବର ୱାର୍ଡ କର୍ପୋରେଟର୍ କୁମାରେନ୍ଦ୍ର ମହାପାତ୍ର କହିଛନ୍ତି, ଏ ସଂପର୍କରେ ବାରମ୍ବାର ଭୁବନେଶ୍ବର ମହାନଗର ନିଗମକୁ ଅଭିଯୋଗ ହେଲାଣି। କର୍ପୋରେସନ୍ ବୈଠକରେ ବି ପ୍ରସଙ୍ଗ ଉଠୁଛି। କିନ୍ତୁ କେହି ଶୁଣିବାକୁ ନାରାଜ। ଫଳସ୍ବରୂପ ସାଧାରଣ ଶୌଚ ପାଇଁ ଦହଗଞ୍ଜ ହେଉଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ଶୌଚାଳୟର ଚାବି କାହାକୁ ହସ୍ତାନ୍ତର ହେବ ଓ କିଏ ଏହାର ପରିଚାଳନା କଥା ବୁଝିବ, ସେ ସଂପର୍କିତ ନିଷ୍ପତ୍ତି ନେଇପାରୁନି ଭୁବନେଶ୍ବର ମହାନଗର ନିଗମ। ଏଣୁ ଶୌଚାଳୟ ନିର୍ମାଣ ସରିଥିଲେ ବି ବ୍ୟବହାର ହୋଇପାରୁନି। swadhikarswadhikar newsTOILET Share