ପଖାଳ ! ଓଡ଼ିଆ ଜୀବନରେ ଏହା କେବଳ ଏକ ଖାଦ୍ୟ ନୁହେଁ, ଏହା ଏକ ଭାବନା, ଏକ ପରିଚୟ ଓ ଏକ ଆବେଗ । ପଖାଳକୁ ଓଡ଼ିଆ ଜାତିର ଆତ୍ମାର ସ୍ୱାଦ ମଧ୍ୟ କୁହାଯାଏ । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗେ, ଯାହା ଏହାର ସାମ୍ପ୍ରଦାୟିକ ଓ ଧାର୍ମିକ ଗୁରୁତ୍ୱକୁ ଆଉ ବଢ଼ାଇଦିଏ ।ଓଡ଼ିଆ ଓ ପଖାଳର ସମ୍ପର୍କ ଅତ୍ୟନ୍ତ ନିବିଡ଼ ଓ ଆପଣାର । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ଯାହାକି ପଖାଳ ଦିବସ ରୂପେ ପାଳନ ହୋଇ ଆସୁଛି। ଶତାବ୍ଦୀ ଧରି ଗରିବ ହେଉ କି ଧନୀ; ସମସ୍ତଙ୍କ ଭୋଜନ ତାଲିକାରେ ପଖାଳର ଏକ ଅଲଗା ସ୍ଥାନ ରହିଛି । ବିଶେଷକରି ଖରାଦିନେ ବାସି ପଖାଳର ମଜା ଅଲଗା, ଯାହା ଘରେ ଘରେ ଏକ ଅଲଗା ପରିବେଶ ସୃଷ୍ଟି କରେ । ଏହି ପରମ୍ପରାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଉଛି । ୨୦୧୧ରୁ କିଛି ଓଡ଼ିଆ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ପ୍ରୟାସରେ ଏହାର ଆରମ୍ଭ ହୋଇଥିଲା । ପରେ ଏହା ବିଶ୍ୱବ୍ୟାପୀ ଓଡ଼ିଆମାନଙ୍କ ମଧ୍ୟରେ ବିପୁଳ ସମର୍ଥନ ପାଇଥିଲା । ବିଶେଷକରି ୨୦୧୫ରେ ସୋସିଆଲ୍ ମିଡିଆରେ ଏହା ବେଶ୍ ଟ୍ରେଣ୍ଡ୍ ହୋଇଥିଲା, ଯାହା ପରେ ଏହା ଅଘୋଷିତ “ପଖାଳ ଦିବସ” ଭାବେ ପରିଚିତ ହେଲା ।ପଖାଳର ସରଳତା ହିଁ ଏହାର ସବୁଠୁ ବଡ଼ ଆକର୍ଷଣ । ଖାଲି ଲୁଣ, କଞ୍ଚାଲଙ୍କା ସହ ମଧ୍ୟ ଏହା ଖାଇଲେ ଅପାର ତୃପ୍ତି ମିଳେ । ଆଉ ଯଦି ସାଙ୍ଗରେ ଶାଗ ଭଜା, ବଡ଼ି ଚୂରା, ଆଳୁ ଚକଟା, ବାଇଗଣ ଭଜା ଓ ପୋଡ଼ା ପୋଡ଼ି ଖାଦ୍ୟ ସାମଗ୍ରୀ ଥାଏ, ତାହେଲେ ତ ଅପୂର୍ବ ଆନନ୍ଦ ।ପଖାଳ କେବଳ ଆମ ପାଟି କିମ୍ବା ପେଟକୁ ଶାନ୍ତ କରେ ତାହା ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢାଏ । ଯେତେବେଳେ କରୋନା କାଳରେ ପୂରା ବିଶ୍ବ ଘାଣ୍ଟି ହେଉଥିଲା, ଠିକ୍ ସେହି ସମୟରେ ପଖାଳର ଉପକାରିତାକୁ ନେଇ ଏକ ରିପୋର୍ଟ ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି, ପଖାଳରେ ଭରପୂର ରୋଗ ପ୍ରତିରୋଧକ ଶକ୍ତି ରହିଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପଖାଳରେ ଥିବା ଅଣୁଜୀବ ଶ୍ୱେତସାରକୁ ସରଳୀକରଣ କରି ସର୍ଟ-ଚେନ୍ ଫ୍ୟାଟି ଏସିଡ୍ ତିଆରି କରନ୍ତି । ଯାହାକି ମଣିଷକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଅନେକାଂଶରେ ସାହାଯ୍ୟ କରେ ।
