ଉପଯୁକ୍ତ ଚିକିତ୍ସା ଅଭାବରୁ ଜଣେ ପ୍ରସୂତିଙ୍କ ବାରିପଦା ପିଆରଏମ ମେଡିକାଲ କଲେଜରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା କୁଳିଅଣା ବ୍ଲକ ପୋଖରୀଆ ଗ୍ରାମର ବୁକାଇ ହାଁସଦାଙ୍କ ସ୍ତ୍ରୀ ପ୍ରସୂତି ବାଲ୍ଲୀ ହାଁସଦା (୨୫) ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସ୍ଥାନୀୟ ଆଶା ଗୀତାରାଣୀ କର ଗତ ୧୭ ତାରିଖ ରାତି ୧୧ଟା ବେଳେ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବାରିପଦାରେ ଭର୍ତ୍ତି କରିଥିଲେl ସିଜରିଂ ପରେ ରାତି ୨ଟା ବେଳେ ଉକ୍ତ ମହିଳା ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିଲେl ସିଜରିଂ ବେଳେ ଶିଶୁ ସନ୍ତାନର ପିଠିରେ ଗଭୀର କ୍ଷତ ଥିବା ଜଣା ପଡ଼ିଥିଲାl ଘଟଣାଟି ପ୍ରଘଟ ହେବାପରେ ବାରିପଦା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛିl ଉକ୍ତ ପ୍ରସୂତି ମହିଳାଙ୍କର ଏହା ଦ୍ୱିତୀୟ ସନ୍ତାନl ୫ ବର୍ଷ ପୂର୍ବରୁ ଏଭଳି ସିଜରିଂ ହୋଇ ପୁତ୍ର ସନ୍ତାନ ଟିଏ ହୋଇ ଥିଲାl ଚିକିତ୍ସାରେ ଅବହେଳା ଯୋଗୁଁ ଉକ୍ତ ପ୍ରସୂତୀଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତିl ତେବେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
