Odia News Portal

ଭୁଲ୍‌ କାହାର ?

ଭୁବନେଶ୍ୱର: ମାଟ୍ରିକ, ମୂଲ୍ୟାୟନ, ମନମାନି । ଭୁଲ କାହାର ଦଣ୍ଡ ପାଉଛି କିଏ ? ଭୁଲ୍ ଥିଲାକି ବିନା ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ପଦ୍ଧତି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ଭିତରେ ଯେଉଁ ଅସନ୍ତୋଷ କୁହୁଳିଛି ତାହା ପୂରା ବ୍ୟବସ୍ଥାର ଢିଲା ପଣକୁ ଲଙ୍ଗଳା କରିପକାଇଛି । ବିଗତ ବର୍ଷ ମାନଙ୍କରେ ସରକାରୀ ସ୍କୁଲ ତୁଳନାରେ ଘରୋଇ ସ୍କୁଲ ଓ ଶିଶୁମନ୍ଦିରର ରେଜଲ୍ଟ ଯେଭଳି ଆଶାତୀତ ଅଧିକ ରହୁଥିଲା , ଚଳିତବର୍ଷ ସେହି ତୁଳନାରେ ରସାତଳକୁ ଯାଇଛି ଶିଶୁମନ୍ଦିର ରେଜଲ୍ଟ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଠାରୁ ଅଭିଭାବକଙ୍କ ପଯ୍ୟନ୍ତ ସବୁଠି ଖାଲି ଅସନ୍ତୋଷ ହିଁ ଅସନ୍ତୋଷ । କେଉଁଠି ରାଗରେ ସ୍କୁଲ ଗେଟ୍‌ରେ ତାଲା ପଡିଲାଣି ତ ପୁଣି କିଏ ଅବହେଳାର ଅଭିଯୋଗ ଆଣି ହାତ କାଟିଲାଣି । ଏମିତିକି ମାଧ୍ୟମିକ ଶିକ୍ଷା ପରିଷଦ କାଯ୍ୟାଳୟକୁ ବି ଘେରାଉ କରିଥିଲେ ଛାତ୍ରଛାତ୍ରୀ । କଟକରୁ କେନ୍ଦ୍ରାପଡା ଓ ପୁରୀରୁ ଭଦ୍ରକ ସବୁଠି ଅବହେଳାର ଅଙ୍ଗେଲିଭା କାହାଣୀ ।

ଏବେ ନଜର ପକାନ୍ତୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିବା ପରେ ସ୍କୁଲ କର୍ତୁପକ୍ଷଙ୍କ ବେପରୁୱା ମନ୍ତବ୍ୟ । ଛାତ୍ରଛାତ୍ରୀଙ୍କ ଖରାପ ରେଜଲ୍ଟ ପାଇଁ ସେମାନେ ନିଜେ ବୋଲି ଅତି ବେଖିଆଲ ଢ଼ଙ୍ଗରେ କହୁଥିବା ଏ ମହାଶୟ ହେଉଛନ୍ତି ଭଦ୍ରକ ବାସୁଦେବ ପୁର ଅଟଳବିହାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ଫର୍ମ ଫିଲପ କରାଇ ତାଙ୍କୁ ପୁଣି ଫେଲ କରାଇଦେବାର କ୍ଷମତା ରହିଛି ଏ ମହାଶୟଙ୍କ ପାଖରେ । ସେପଟେ ବୋର୍ଡ ସଭାପତି ରାମାଶିଷ ହାଜରା ଓ ପରୀକ୍ଷା ନିୟନ୍ତ୍ରକ ନିହାର ସାହୁ କହିଛନ୍ତି ମୂଲ୍ୟାୟନରେ ତ୍ରୁଟି ହୋଇନି । ସ୍କୁଲ ତରଫରୁ ଯେଉଁ ମାର୍କ ଆସିଥିଲା ତାକୁ ତର୍ଜମା କରିବା ପରେ ନମ୍ବର ଦିଆଯାଇଛି । ହେଲେ ଏହାରି ଭିତରେ କହୁ କହୁ ବ୍ୟବସ୍ଥାର ଗଳାବାଟ ଧରାଇ ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ । କିଛି ସ୍କୁଲରୁ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ମାର୍କ ଆସିଥିଲା ଯାହା ସମ୍ଭାବନାର ବାହାରେ ବୋଲି କହିଛନ୍ତି ସେ ।

ଏବେ ପ୍ରଶ୍ନ ଉଠିଛି ପରୀକ୍ଷା ଦେଇ ଶିଶୁମନ୍ଦିର ଛାତ୍ରଛାତ୍ରୀ ଯଦି ଟପ୍ପର ହେଉଥିଲେ, ବିନା ପରୀକ୍ଷାରେ ସେମାନେ ଏତେ କମ୍ ନମ୍ବର ପାଇଲେ କେମିତି ? ହେରାଫେରି କରିଛି କି ମେଂଟର ସ୍କୁଲ ? ପ୍ରିୟ ପରୀକ୍ଷାର୍ଥୀଙ୍କ ପାଇଁ ହୋଇଛି କି ପ୍ରିୟାପ୍ରିତୀ ? ନିଜର ଭାବି କିଛି ଜଣଙ୍କୁ ଦିଆଯାଇଛି କି ଅଗ୍ରାଧିକାର ? ସରକାରୀ ସ୍କୁଲର ଛବି ଭଲ ରଖିବାକୁ ପ୍ରୟାସ କରି ଫସି ଯାଇଛି କି ବ୍ୟବସ୍ଥା ? ସବୁଠୁ ବଡକଥା ହେଲା, ସ୍କୁଲ ତରଫରୁ ମାର୍କ ଦିଆଯାଇଥିବା ବେଳେ ଏହାକୁ ତର୍ଜମା କରି ମାର୍କ ନିର୍ଦ୍ଧାରଣ କରିଥିଲା ବୋର୍ଡ କିନ୍ତୁ କେଉଁ ସ୍କୁଲ କେଉଁ ପିଲାଙ୍କୁ କେତେ ମାର୍କ ଦେଇଥିଲା ଓ ବୋର୍ଡ ଏହାକୁ କେଉଁ ଢ଼ଙ୍ଗରେ ନିର୍ଦ୍ଧାରଣ କରିଥିଲା ତାହାକୁ କେହି ବି ପ୍ରକାଶ କରୁ ନାହାଁନ୍ତି । ତେଣୁ ତ୍ରୁଟି ତଳୁ ଉପର ଯାଏଁ ଯେ ହୋଇଛି ତାହା ନ କହିଲେ ବି ଧରାପଡି ଗଲାଣି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି କୋଭିଡ ପରେ ମାଟ୍ରିକ ପରୀକ୍ଷା କରାଇବାର ଅଛି ତେବେ ସେହି ଅନୁସାରେ +୨ ନାମଲେଖା ବି ବିଳମ୍ବିତ ହେବ କି ନାହିଁ ତାହା ବି ସରକାର ସ୍ପଷ୍ଟ କରିନାହାଁନ୍ତି । ତେଣୁ କୋଭିଡ ଆଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରିଦେବା ପାଇଁ ଯେ ଏକ ବ୍ୟବସ୍ଥିତ ଷଡଯନ୍ତ୍ର ଚାଲିଛି ତାହା ଧିରେ ଧିରେ ବୁଝାପଡୁଛି ।