Odia News Portal

ରାଜ୍ୟରେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଖୋଲିବ ଆଂଶିକ ସଟ୍‌ଡାଉନ

ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ ।  ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ ।  ପୁରୀ, କଟକ ଏବଂ ଭୁବନେଶ୍ବରରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ସହିତ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ । କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ ।

ରାଜ୍ୟରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ତେବେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ପରିଚାଳନା କମିଟି ନେଇପାରିବେ । କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଖୋଲିବ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ ମନ୍ଦିର ପରିଚାଳନା କମିଟି । ରାତି ୮ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ପୁରୀ, କଟକ ଏବଂ ଭୁବନେଶ୍ବରରେ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର । ପାର୍କ, ମଲ୍, ସମୁଦ୍ର କୂଳ, ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ । ସମସ୍ତ ଆହାର କେନ୍ଦ୍ର ଖୋଲାରହିବ । ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ । ବିବାହରେ ୨୫, ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି । ବିବାହ ଭୋଜି ଉପରେ ପୂର୍ବପରି କଟକଣା ଜାରି ରହିବ । ମୀନା ବଜାର ଖୋଲାଯାଇପାରିବ । ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ ।

ରାଜ୍ୟରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ଅପେରା । ମ୍ୟୁଜିୟମ, ନନ୍ଦନକାନନ, ସାପ୍ତାହିକ ହାଟ ଖୋଲା ରହିବ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିବ । କୋହଳ ହୋଇଥିବା ସ୍ଥାନମାନଙ୍କରେ କୋଭିଡ କଟକଣା କଡାକଡି ପାଳନ କରିବାକୁ ନିର୍ଦେଶାବଳୀ ଜାରି ହୋଇଛି । ବସରେ ଯେତିକି ସିଟ୍‌ ସେତିକି ଯାତ୍ରୀଙ୍କୁ ନେଇ ଜାରି ରହିବ ବସ ଚଳାଚଳ । ଅଧିକ ସଂଖ୍ୟକ କିମ୍ବା ଠିଆ ହୋଇ ଯାଇପାରିବେ ନାହିଁ ଯାତ୍ରୀ । ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ମନା କରାଯାଇଛି । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ସମସ୍ତ ପର୍ଯ୍ୟଟକ ଗାଇଡ୍‌ଲାଇନ୍‌ ମାନି ପ୍ରର୍ଯ୍ୟଟନ ସ୍ଥଳୀ ଭିତରକୁ ପ୍ରବେଶ କରିବେ ।