Odia News Portal

କଳାହାଣ୍ଡି ମେଡିକାଲ କଲେଜ: ଭିତ୍ତିଭୂମି ଯୋଗାଇବ ଏମ୍‌କେସିଜି

ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ସରକାରୀ ମେଡିକାଲ କଲେଜକୁ ସହଯୋଗ କରିବେ ୩ଟି ପୁରୁଣା ମେଡିକାଲ କଲେଜ ତଥା କଟକର ଏସ୍‌ସିବି, ବ୍ରହ୍ମପୁରର ଏମ୍‌କେସିଜି ଓ ବୁର୍ଲାର ଭୀମ୍‌ସାର। ରାଜ୍ୟ ଏହି ସରକାର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ଏମ୍‌କେସିଜି ମେଡିକାଲ କଲେଜରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଖୋଲିଥିବା ନୂତନ ସରକାରୀ ମେଡିକାଲ କଲେଜକୁ ମରଶରୀର ପଠାଯିବ। ରାଜ୍ୟ ସରକାରଙ୍କ ତରଫରୁ ଏ ନେଇ ନିର୍ଦ୍ଦେଶନାମା ଆସିଥିବା ଏମ୍‌କେସିଜି ମେଡିକାଲ କଲେଜ ଆନାଟୋମି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ସାଗର ପୃଷ୍ଟି ସୂଚନା ଦେଇଛନ୍ତି। ମରଶରୀରକୁ ସେଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟରେ ଖୋଲିଥିବା ନୂତନ ମେଡିକାଲ କଲେଜଗୁଡ଼ିକ ବିଧିବଦ୍ଧ ଭାବେ ଆରମ୍ଭ କରିବା ପାଇଁ ବିଗତ ବର୍ଷରେ ଏମ୍‌କେସିଜିରୁ ବହୁ ଅଭିଜ୍ଞ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସରଙ୍କୁ ସେଠାକୁ ବଦଳି କରାଯାଇଥିଲା। ଏମ୍‌କେସିଜିରୁ ପୁରୀ, ସୁନ୍ଦରଗଡ଼, ବଲାଙ୍ଗୀର, କୋରାପୁଟ ଭଳି ସ୍ଥାନକୁ ଡାକ୍ତର ବଦଳି ହୋଇଥିଲେ। ଏନ୍‌ଏମ୍‌ସି (ନ୍ୟାସ୍‌ନାଲ୍‌ ମେଡିକାଲ କମିସନ୍‌)ର ସ୍ବୀକୃତି ପାଇବା ପାଇଁ ଏଭଳି ବଦଳି କରାଯାଇଥିଲା। ନୂତନ ମେଡିକାଲ କଲେଜଗୁଡ଼ିକ କିପରି ଠିକ୍‌ ଭାବେ କାର୍ଯ୍ୟକ୍ଷମ କରିବ ସେଥିପାଇଁ ୩ପୁରୁଣା କଲେଜ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ବର୍ଷଟି ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହି ବର୍ଷ ପିଲାମାନେ ଆନାଟୋମି ବିଭାଗ ଜରିଆରେ ଶରୀରର ଗଠନ ସହ ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା ଉପରେ ଜ୍ଞାନ ଆହରଣ କରିଥାନ୍ତି। ଏଣୁ ପିଲାଙ୍କୁ ଉଭୟ ପୁରୁଷ ଓ ମହିଳାଙ୍କ ଶରୀର ଆବଶ୍ୟକ ପଡ଼ିଥାଏ। ଡି‌ସେକ୍ସନ୍‌ ଜରିଆରେ ଶରୀରର ବିଭିନ୍ନ ଅଙ୍ଗ ଅଲଗା କରାଯାଇ ପିଲାଙ୍କୁ ପାଠପଢ଼ା ଯାଇଥାଏ।

ଏମ୍‌କେସିଜି ମେଡିକାଲ କଲେଜକୁ ଗତ ୨୦୧୩ରୁ ଆଜି ପର୍ଯ୍ୟନ୍ତ ୨୧ଟି ମରଶରୀର ଦାନସୂତ୍ରରେ ମିଳିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୫ଟି ଶରୀର ମିଳିସାରିଲାଣି। କଳାହାଣ୍ଡି ମେଡିକାଲ କଲେଜ ପିଲାଙ୍କ ପାଠପଢ଼ା ପାଇଁ ଏମ୍‌କେସିଜିରୁ କିଛି ମରଶରୀର ସେଠାକୁ ପଠାଯିବ ବୋଲି ପ୍ରଫେସର ପୃଷ୍ଟି ସୂଚନା ଦେଇଛନ୍ତି। ଆବଶ୍ୟକସ୍ଥଳେ କୋରାପୁଟ ମେଡିକାଲ କଲେଜକୁ ମଧ୍ୟ ଶରୀର ପଠାଯିବ ବୋଲି ସେ କହିଛନ୍ତି।