Odia News Portal

ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧରେ ପ୍ରେରିତ କରିବା ଉଚିତ୍ : ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ

ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କୁ ଶୈକ୍ଷିକ ଏବଂ ବୋ÷ଦ୍ଧିକ କ୍ଷେତ୍ରରେ ଶିକ୍ଷିତ କରାଇବା ସହ ସେମାନଙ୍କୁ ଉଚ୍ଚ ମାନର ନୈତିକ ମୂଲ୍ୟବୋଧର ମନ୍ତ୍ର ଦେବା ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଏକ ବଡ ଦାୟିତ୍ୱ ରହିଛି ବୋଲି କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଶ୍ରୀ ଏମ୍.ଏମ୍. ରାଜେନ୍ଦ୍ରନ । ଦେଶ ଗଠନ ନିମନ୍ତେ ଚରିତ୍ର ଗଠନର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମନରେ ନୈତିକ ମୂଲ୍ୟବୋଧର ମଞ୍ଜି ବୁଣିବା ଆବଶ୍ୟକ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ “ଦ୍ରୁତ ପରିବର୍ତନଶୀଳ ପରିବେଶରେ ଶିକ୍ଷା” ଶୀର୍ଷକ ବକ୍ତୃତା ପ୍ରଦାନ କରିବା ଅବସରରେ ଶ୍ରୀ ରାଜେନ୍ଦ୍ରନ୍ ଏହା କହିଛନ୍ତି ।

ସାରା ଦେଶରେ ଆଦର୍ଶ ବ୍ୟକ୍ତିତ୍ୱର ଘୋର ଅଭାବ ଦେଖାଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମନରେ ନୈତିକ ମୂଲ୍ୟବୋଧ ଭରିବାରେ ଶିକ୍ଷକ ମାନଙ୍କର ଏକ ସ୍ୱତନ୍ତ୍ର ଭୂମିକା ରହିଛି ବୋଲି ସେ କହିଥିଲେ । ବର୍ତମାନ ସମୟରେ ଲୋକମାନେ ଯେଉଁମାନଙ୍କୁ ନିଜର ଆଦର୍ଶ ବୋଲି ମାନୁଛନ୍ତି ସେମାନେ ପ୍ରକୃତରେ ତାହା ହୋଇପାରୁ ନାହାନ୍ତି । ତେଣୁ ନିଜ ଚରିତ୍ର ଗଠନରେ ଅଭାବ ଯୋଗୁଁ ସବୁଠାରୁ ଶୀର୍ଷରେ ଥିବା ବ୍ୟକ୍ତି ମଧ୍ୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯାହା ଆପଣ ଶିକ୍ଷାଦାନ କରୁଛନ୍ତି ତାହା ନିଜେ ମଧ୍ୟ ଅଭ୍ୟାସ କରିବା ଉଚିତ୍ । ତାହା ଦ୍ୱାରା ଆପଣ ଆଦର୍ଶ ହୋଇପାରିବେ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସେ କହିଛନ୍ତି । ବର୍ତମାନ ଓଡ଼ିଶା ଗସ୍ତରେ ଥିବା ଶ୍ରୀ ରାଜେନ୍ଦ୍ରନଙ୍କ ଲିଖିତ ପୁସ୍ତକ “ସର୍ଭିସ୍ ଅନ୍ଇଂଟରପ୍ଟେଡ୍” ଗୁରୁବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଲୋକାର୍ପିତ ହୋଇଛି ।

ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଥିଲେ ଯେ ଶିକ୍ଷା ପ୍ରଦାନ ବ୍ୟବସ୍ଥାରେ ଜୀବନ ଗଠନ, ମଣିଷ ଗଠନ ଏବଂ ଚରିତ୍ର ଗଠନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଅନେକ ବର୍ଷ ପୂର୍ବରୁ ସ୍ୱାମୀଜୀ ଯାହା କହିଥିଲେ ତାହା ବର୍ତମାନ ସମୟ ପାଇଁ ମଧ୍ୟ ପ୍ରଯୁଜ୍ୟ ବୋଲି ସେ କହିଥିଲେ । ଶ୍ରୀ ରାଜେନ୍ଦ୍ରନ କହିଥିଲେ ଯେ ଛାତ୍ରଛାତ୍ରୀମାନେ ହୃଦୟଙ୍ଗମ କରିବା ଉଚିତ୍ ଯେ ଯାହା ସେମାନେ ସ୍କୁଲ୍ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରୁଛନ୍ତି କେବଳ ତାହା ଶିକ୍ଷା ନୁହେଁ । ଶିକ୍ଷା ଏକ ଗତିଶୀଳ ଅନୁଭୂତି, ଯାହା ସାରା ଜୀବନ ଗ୍ରହଣ କରିବାକୁ ପଡ଼େ ।

ଯେତେବେଳେ ଜଣେ ଛାତ୍ର କହେ ମୁଁ ମୋର ଶିକ୍ଷା ସମାପ୍ତ କରିଛି ତାହା ଠିକ୍ ନୁହେଁ । ସେ କେବଳ ଏକ ଡିଗ୍ରୀ ପାଇଲା ମାତ୍ର ଶିକ୍ଷା ଗ୍ରହଣ ଏକ ଗତିଶୀଳ ପ୍ରକ୍ରିୟା । ବିଶ୍ୱ ସ୍ତରରେ ଦୁର୍ନୀତି ବହୁଳ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଭାରତରେ ସଚ୍ଚୋଟ ଲୋକଙ୍କୁ ସହଯୋଗ ମିଳେ ନାହିଁ ଓ ଅନେକେ ଏହି ଲୋକମାନେ ମିଳୁଥିବା ସୁଯୋଗର ସଦ୍ବ୍ୟବହାର କରିବାକୁ ଅକ୍ଷମ ବୋଲି ମନେ କରିଥାନ୍ତି । ଦକ୍ଷତା ମଣିଷକୁ ଶୀର୍ଷକୁ ନେଇପାରେ କିନ୍ତୁ ଚରିତ୍ର ସେହି ଶୀର୍ଷ ସ୍ଥାନରେ ନିଜକୁ ବଜାୟ ରଖିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ ।

ଶିକ୍ଷା ଓ ଅନୁସନ୍ଧାନକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ରାଜେନ୍ଦ୍ରନ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଅନେକ ମହତ୍ୱପୂର୍ଣ୍ଣ ଗବେଷଣା କାର୍ଯ୍ୟରେ ଲିପ୍ତ ରହିଛି । ଏଭଳି କାର୍ଯ୍ୟ ନିଜ ନାମକୁ ଉଚ୍ଚକୁ ନେଇଯାଏ । ଏହି ବିଶ୍ୱବିଦ୍ୟାଳୟ ନିଜର ପାଟେନ୍ଟ ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାରେ ମନୋନିବେଶ କରିବା ଉଚିତ୍ । ଯଦିଓ ସୋଆ ଅନେକ ଗୁଡ଼ିଏ ପାଟେନ୍ଟ ହାସଲ କରିଛି ତେବେ ଏହାର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇଲେ ଦେଶର ଖ୍ୟାତି ବଢ଼ିପାରିବ ।

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଶ୍ରୀ ରାଜେନ୍ଦ୍ରନଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଶ୍ରୀ ରାଜନ୍ଦ୍ରେନ୍ଙ୍କ ପତ୍ନୀ ଶ୍ରୀମତି ସୁଶୀଳା ରାଜେନ୍ଦ୍ରନ ଉପସ୍ଥିତ ଥିଲେ । ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।