Odia News Portal

ମୋଦୀ- ମେଲୋନୀ ଦ୍ୱିପାକ୍ଷିକ ଆଲୋଚନା; ପ୍ରଧାନମନ୍ତ୍ରୀଙ୍କୁ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା କହି ଭୂୟସୀ ପ୍ରଶଂସା କଲେ ଇଟାଲୀ ପ୍ରଧାନମନ୍ତ୍ରୀ

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ ଜଣାଇଛନ୍ତି। ମେଲୋନିଙ୍କ ସହିତ ମିଳିତ ପ୍ରେସ ବୈଠକରେ ମୋଦୀ କହିଥିଲେ, ଆଜି ଆମର ଆଲୋଚନା ଅତ୍ୟନ୍ତ ଉପଯୋଗୀ ଓ ଅର୍ଥପୂର୍ଣ୍ଣ ଥିଲା। ଚଳିତ ବର୍ଷ ଉଭୟ ଭାରତ ଏବଂ ଇଟାଲି ଦ୍ୱିପାକ୍ଷିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ଆମେ ଭାରତ-ଇଟାଲୀ ମଧ୍ୟରେ ସହଭାଗିତାକୁ ରଣନୀତିପୂର୍ଣ୍ଣ ଭାଗୀଦାରିତାର ମାନ୍ୟତା ଦେବା ନିମନ୍ତେ ନିଷ୍ପତ୍ତି ନେଇଛୁ।

ଆମେ ଆମର ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛୁ। ଆମର ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଭାରତରେ ବୃହତ୍ ପରିମାଣରେ ନିବେଶ ନିମନ୍ତେ ସୁଯୋଗକୁ ଉନ୍ମୁକ୍ତ କରୁଛି। ନବୀକରଣଯୋଗ୍ୟ ଶକ୍ତି, ସବୁଜ ଉଦ୍‌ଜାନ, ଆଇଟି, ସେମିକଣ୍ଡକ୍ଟର, ଟେଲିକମ୍ ଏବଂ ମହାକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆମେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛୁ। ସେ କହିଥିଲେ, ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ବିରୋଧୀ ଲଢ଼େଇରେ ଭାରତ ଓ ଇଟାଲୀ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରୁଛନ୍ତି।

କୋଭିଡ ମହାମାରୀ ଏବଂ ୟୁକ୍ରେନ ବିବାଦ ଯୋଗୁଁ ସୃଷ୍ଟି ହୋଇଥିବା ଖାଦ୍ୟ, ଇନ୍ଧନ ଓ ସାର ସଙ୍କଟ ଫଳରେ ସମସ୍ତ ଦେଶ ପ୍ରଭାବିତ ହୋଇଛନ୍ତି। ବିକାଶଶୀଳ ଦେଶମାନଙ୍କ ଉପରେ ଏସବୁର ବିଶେଷ ନକାରାତ୍ମକ ପ୍ରଭାବ ପଡିଛି। ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ମଧ୍ୟ ଏହି ବିଷୟ ଉପରେ ପ୍ରାଥମିକତା ଦେଉଛୁ। ୟୁକ୍ରେନ ବିବାଦର ଆରମ୍ଭରୁ ଭାରତ ସ୍ପଷ୍ଟ କରିଛି ଯେ, ଏହି ବିବାଦ କେବଳ କଥାବାର୍ତ୍ତା ଏବଂ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିବ। ଭାରତ ଶାନ୍ତି ପ୍ରକ୍ରିୟାରେ ସହଯୋଗ କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତ-ଇଟାଲୀ ସୁଦୃଢ଼ ରଣନୀତିକ ସଂପର୍କ ପାଇଁ ମେଲୋନୀ ସହମତି ପ୍ରକାଶ କରିବାସହ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା ବୋଲ କହି ଭୂୟସୀ ପ୍ରଶଂସା କରିଥିଲେ।