Odia News Portal

ରଶ୍ମିତାଙ୍କୁ ପ୍ରଶଂସା କଲେ ମୋଦୀ

ଜଗତପୁରସ୍ଥିତ ଭାରତୀୟ ଜଳକ୍ରୀଡ଼ା ପ୍ରାଧିକରଣରେ ଅଭ୍ୟାସରତ ଚୌଦ୍ବାର ବଡ଼ବଜାର ଅଞ୍ଚଳର ରଶ୍ମିତା ସାହୁ ଗତ ଅଗଷ୍ଟ ୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ଆୟୋଜିତ ହୋଇଥିବା ‘ଖେଲୋ ଇଣ୍ଡିଆ’ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରି ଓଡ଼ିଶାକୁ ଗୌରାବାନ୍ୱିତ କରିଛନ୍ତି। ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ରଶ୍ମିତା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ସାରିଛନ୍ତି। ଆଜି ୧୨୫ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଶ୍ମିତାଙ୍କ ସଂଘର୍ଷମୟ କାହାଣୀ ସମ୍ପର୍କରେ ଅବତାରଣା କରିଛନ୍ତି। ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ରଶ୍ମିତାଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ରଶ୍ମିତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।ସୂଚନା ଥାଉ କି, ରଶ୍ମିତା ୨୦୧୭ ମସିହାରୁ ଜଗତପୁରସ୍ଥିତ ଭାରତୀୟ ଖେଳ ପ୍ରାଧିକରଣରେ ରହି କୋଚ୍ ଲାଇସ୍ରମ୍ ଜନସନ୍‌ଙ୍କ ଠାରୁ ତାଲିମ ନେଉଥିଲେ। ରଶ୍ମିତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ ପରେ ବହୁତ ଖୁସି ଲାଗୁଛି ଓ ତାଙ୍କଠାରୁ ଅନେକ ପ୍ରେରଣା ମିଳିଛି। ଆଗାମୀ ଦିନରେ କାନୋଇଂ ଜଳକ୍ରୀଡ଼ା ଶିକ୍ଷା ତାଲିମ ଗ୍ରହଣ କରି ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରି ରାଜ୍ୟ ଓ ନିଜ ଅଞ୍ଚଳ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରଶ୍ମିତା କହିଲେ ଯେ ଏ ପର୍ଯ୍ୟନ୍ତ ଯେଉଁ ଯୋଗ୍ୟତା ହାସଲ କରିଛି ତା’ର ଶ୍ରେୟ ମୋର ସହଯୋଗୀ ଖେଳାଳି, କୋଚ୍ ଜନସନ୍‌, ବାପା ଓ ଭାଇଙ୍କୁ ଦେବି।