Odia News Portal

ଓଡ଼ିଶାରେ ମୌସୁମୀ ବାୟୁର ଆଗମନ, ବର୍ଷାରେ ଭିଜିବ ରାଜ୍ୟ

ଓଡ଼ିଶାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ଓଡ଼ିଶା ଦିଗରୁ ରାଜ୍ୟରେ ପ୍ରବେଶ କରିଛି ମୌସୁମୀ ବାୟୁ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀର ଆଗମନ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ସହ ପାଗରେ ପରିବର୍ତ୍ତନ ଦେଖାଦେବ।

ଗୁରୁବାର ଦିନ ହିଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଓଡ଼ିଶାରେ ମୌସୁମୀ ବାୟୁର ଆଗମନ ପାଇଁ ପାଗ ଅନୁକୂଳ ରହିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଥିବା କଥା ମଧ୍ୟ କୁହାଯାଇଥିଲା। ଆଉ ଏବେ ସେହି ପୂର୍ବାନୁମାନ ସତ୍ୟ ପ୍ରମାଣିତ ହୋଇଛି।

ଅନ୍ୟପଟେ, ମୌସୁମୀର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଏହି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ବହିବାର ଆଶଙ୍କା ରହିଛି। ତେଣୁ ଲୋକମାନଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।