ଦାଉ ସାଧିଲେଣି ମଶା: ଗମ୍ବୁସିଆ ମାଛ ମଶା ନିୟନ୍ତ୍ରଣ ଅଭିଯାନ ବିଫଳ By Swadhikar News Last updated Mar 5, 2026 ପୁରୀ-୧ରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟରୁ ତ୍ରାହି ମିଳୁନି କି ପୁରୀ-୨ରେ ମଶାଙ୍କ ପ୍ରାଦୁର୍ଭାବରେ ଶୋଇ ହେଉନି। ଦିନ ହେଉ ଅବା ରାତି। ଘର ହେଉ କି ଦୋକାନ। ବସିବା ମାତ୍ରେ ପାଖକୁ ପଙ୍ଗପାଳ ଭଳି ମାଡ଼ି ଆସୁଛନ୍ତି। ହାତ, ମୁହଁ କେଉଁଠିକି ବାଦ ଦେଉନାହାନ୍ତି। ସହର ମଧ୍ୟରେ ନଈ, ନାଳ ଓ ପୁଷ୍କରିଣୀ ପ୍ରଦୂଷିତ ହୋଇ ମଶା ବଂଶ ବଢ଼ିଚାଲିଛି। ମଶା ନାଶକ ତେଲ ପ୍ରୟୋଗ କରାଯାଉଥିବା ଫଟୋ ସୋସିଆଲ ମିଡିଆରେ ବୁଲୁଛି। କିନ୍ତୁ ପୌରପାଳିକାର ମଶା ଧୁଆଁ ମଶାଙ୍କୁ ନିପାତ କରିପାରୁନାହିଁ। ନିୟମିତ ମଶା ଧୂଆଁ କିମ୍ବା ଟିଫା ମେସିନ ବୁଲୁନାହିଁ। ଡେଙ୍ଗୁ ଓ ମାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ପୁରୀରେ ମଶାଙ୍କ ଦାଉ ଅସହ୍ୟ ହେବାରୁ ଗମ୍ବୁସିଆ ମାଛ ଜରିଆରେ ଏହାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୩ ବର୍ଷ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗମ୍ବୁସିଆ ମାଛ ଚାଷ ହେଉଛି। ମାତ୍ର ମଶାଙ୍କ ଦାଉ ନିୟନ୍ତ୍ରଣକୁ ଆସିବା ତ ଦୂରର କଥା କେଉଁଠି କ୍ଷଣେ ଛିଡ଼ା କରେଇ ଦେଉନାହାଁନ୍ତି।ଏନେଇ କୁମ୍ଭାରପଡ଼ାର ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ମହାନ୍ତି କହିଛନ୍ତି, ଅଠରନଳା ନିକଟରେ ବସବାସ କରୁଥିବା ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ମୂଷା ନଈ ଓ ମଶା। ମୂଷା ନଈ ନାଳରେ ପରିଣତ ହୋଇ ମଶାଙ୍କ ବଂଶ ବଢ଼ାଇବା ପାଇଁ ଅନୁକୂଳ ପାଲଟିଛି। ଅଠରନଳାରୁ ଧରି ହୁଳୁହୁଳିଆ ପୋଲ ଯାଏ ସହର ଯାକର ଆବର୍ଜନା ପାଣି ସହ କଲିକତି ଦଳ ଯୋଗୁଁ ମଶାଙ୍କ ଦାଉ ବଢ଼ିବଢ଼ି ଚାଲିଛି। ମଶା ଧୂଆଁ ଆଦୌ ସ୍ପ୍ରେ ହେଉନାହିଁ ବୋଲି ସେ କହିଛନ୍ତି। ସହର ମଧ୍ୟରେ ଅଧିକାଂଶ ନାଳ ଖୋଲାମେଲାରେ ପଡ଼ିଛି। ଜଳାଶୟଗୁଡ଼ିକ ମଧ୍ୟ ଦଳ ଓ ପ୍ଲାଷ୍ଟିକରେ ଭର୍ତ୍ତି ହୋଇଗଲାଣି। ଯେପର୍ଯ୍ୟନ୍ତ ନଈ, ନାଳର ସ୍ଥିତି ସୁଧୁରି ନାହିଁ। ସେପର୍ଯ୍ୟନ୍ତ ମଶାରୁ ନିସ୍ତାର ନାହିଁ। ତେବେ ମଶାଙ୍କୁ ନିୟନ୍ତ୍ରଣ କରିବା ପାଇଁ ମଶା ତେଲ ଅନ୍ତତଃ ନିୟମିତ ପ୍ରୟୋଗ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ଓ ଅନୁରୋଧ ପରେ କିଛି ଜାଗାରେ ଟିଫା ମେସିନ୍ ବୁଲିଛି ସତ, କିନ୍ତୁ ତାହା କେବଳ ଧର୍ମକୁ ଆଖିଠାର ଭଳି। ସହର ମଧ୍ୟରେ ୩୦ଟି ୱାର୍ଡ ପାଇଁ ରହିଛି ମାତ୍ର ୨ଟି ଟିଫା ମେସିନ୍। କିନ୍ତୁ ମଶାଙ୍କ ସାନ୍ଦ୍ରତା ଅର୍ଥାତ ଗୋଟିଏ ଘନଫୁଟ ଅଞ୍ଚଳରେ କେତେ ମଶା ଅଛନ୍ତି ତା’ର ଅନୁଧ୍ୟାନ କରାନଯାଉନଥିବାରୁ ଏବଂ ମଶା ବଂଶ ବିସ୍ତାର କରୁଥିବା ଜାଗାଗୁଡ଼ିକ ଚିହ୍ନଟ କରାଯାଉନଥିବାରୁ ମଶା ନାଶକ ମିସନ ଫେଲ୍ ମାରିଛି।ଅନ୍ୟପକ୍ଷରେ ନାଳମାନଙ୍କରେ ମଶାମାନଙ୍କର ବଂଶ ବିସ୍ତାର ରୋକିବାକୁ ଟେମେଫସ୍ ଓ ଏମ୍ଏଲ୍ ତେଲ ସ୍ପ୍ରେ କରାଯାଉଥିବା ପୁରୀ ପୌରପାଳିକା ପକ୍ଷରୁ କୁହାଯାଉଛି। ଯଦି ମଶା ନାଶ ପାଇଁ ଏତେ ବ୍ୟବସ୍ଥା ହେଉଛି, ତେବେ ପୁଣି ଏତେ ମଶାଙ୍କ ଉତ୍ପତ୍ତି କେଉଁଠୁ ହେଉଛି? ଏହାର କାରଣ ନଖୋଜି କେବଳ ଟିଫା ମେସିନ୍ ବୁଲାଇ ଦେଲେ କି ମନ ଇଚ୍ଛା ଯେଣେତେଣେ ମଶା ନାଶକ ତେଲ ପ୍ରୟୋଗ କରିଦେଲେ ଏ ସମସ୍ୟାରୁ ତ୍ରାହି ମିଳିବ କି ବୋଲି ବାସିନ୍ଦାମାନେ ଯୁକ୍ତି ବାଢ଼ିଛନ୍ତି। କିଛି ମାସ ତଳେ ଡେଙ୍ଗୁର ମାତ୍ରା ବଢ଼ିବା ପରେ ଏନେଇ ସଜାଗ ଓ ସଚେତନ ରହିବାକୁ ପ୍ରଚାର କରାଯାଇଥିଲା। କିନ୍ତୁ ମଶାଙ୍କୁ ନିୟନ୍ତ୍ରଣକୁ ଆଣିବା ନେଇ କାର୍ଯ୍ୟାନ୍ବୟନ ଶୂନ। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ବାସିନ୍ଦାମାନେ ଦାବି କରିଛନ୍ତି। swadhikarswadhikar news Share