Odia News Portal

ଭିତରକନିକା ଜଙ୍ଗଲରେ ମା’ପୁଅ ନିଖୋଜ

ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବା ପାଇଁ ଯାଇଥିବା ମା’-ପୁଅ ପାଞ୍ଚଦିନ ହେଲା ନିଖୋଜ ହୋଇଯାଇଛନ୍ତି। ନିଖୋଜ ଦୁଇଜଣ ହେଲେ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମିର୍ଦ୍ଧା (୪୫) ଓ ପୁଅ ରତୀନ୍ଦ୍ର ମିର୍ଦ୍ଧା (୧୮)। ଆଜି ଏ ନେଇ ଖବର ପାଇବା ପରେ ବନ ବିଭାଗ ଟିମ୍‌ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିପାରି ନାହିଁ। ଗତ ବୁଧବାର ସକାଳୁ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଅଞ୍ଜନା ଓ ରତୀନ୍ଦ୍ରଙ୍କ ସହ ଗାଁର ଅହଲ୍ୟା ମଣ୍ଡଳ, ତାଙ୍କ ପୁଅ ଚନ୍ଦ୍ର ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ୍‌ ମଧ୍ୟକୁ କଙ୍କଡ଼ା ଧରିବା ପାଇଁ ଯାଇଥିଲେ। ସନ୍ଧ୍ୟାରେ ଅହଲ୍ୟା ଓ ଚନ୍ଦ୍ର ଘରକୁ ଫେରିଆସିଥିଲା ବେଳେ ଅଞ୍ଜନା ଓ ତାଙ୍କ ପୁଅ ଫେରି ନ ଥିଲେ। ବେଆଇନ ଭାବେ ଜଙ୍ଗଲ ଭିତରକୁ ଯାଇଥିବାରୁ ଏ ସମ୍ପର୍କରେ ପୁଲିସ କିମ୍ବା ବନ ବିଭାଗକୁ ଅବଗତ କରାଯାଇ ନ ଥିଲା। ସେବେଠାରୁ ପରିବାର ଓ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି ଚଳାଇଥିଲେ। ତେବେ ଗତକାଲି ରାତିରେ ଏ ନେଇ ବନ ବିଭାଗ ଖବର ପାଇଥିଲା। ଆଜି ସକାଳେ ୧୦ରୁ ଅଧିକ ବନ ବିଭାଗ କର୍ମଚାରୀ ନିଖୋଜ ମା’-ପୁଅଙ୍କ ସହ ଯାଇଥିବା ଅହଲ୍ୟା ଓ ଚନ୍ଦ୍ରଙ୍କୁ ଧରି ଜଙ୍ଗଲକୁ ଯାଇ ଦିନସାରା ଖୋଜାଖୋଜି କରିଥିଲେ।  ସେଠାରୁ ସନ୍ଧ୍ୟାରେ ଫେରିବା ପରେ ଦେବେନ୍ଦ୍ରନାରାୟଣପୁର ଗାଁରେ ଗ୍ରାମବାସୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ନିଖୋଜ ଅଞ୍ଜନା ଓ ରତୀନ୍ଦ୍ରଙ୍କ ପରିବାର ଲୋକ ଅଭିଯୋଗ କରିବାକୁ ରାଜନଗର ଥାନାରେ ପହଞ୍ଚିଛନ୍ତି। ଅପରପକ୍ଷରେ ଜଙ୍ଗଲରୁ ଘରକୁ ଫେରି ଆସିଥିବା ମା’-ପୁଅ ବାରମ୍ବାର ସେମାନଙ୍କ କଥା ବଦଳାଉଥିବା  ବନ ବିଭାଗ ସୂଚନା ଦେଇଛି। ଏହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।