ଯେତେବେଳେ ମାଆର ପଣତ ସାଥିରେ ଥାଏ ସେତେବେଳେ ସ୍ୱୟଂ ଯମ ବି ବିଫଳ ହୁଅନ୍ତି । ଆଉ ଏତ ଛାର ବାଘ । ଏଭଳି ଏକ ଦୁଃସାହାସିକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ, ଜଣେ ମହିଳା ତାଙ୍କ ୧୦ ବର୍ଷିୟ ପୁଅକୁ କଲରାପତ୍ରିଆ ବାଘ ସହିତ ଲଢ଼େଇ କରି ରକ୍ଷା କରିଛନ୍ତି।
ଘଟଣାଟି ସୋମବାର ସକାଳେ ୭୪ ନମ୍ବର ଜାତୀୟ ରାଜପଥ ନିକଟ ଜୀତପୁର ଗାଁ ଅନ୍ତର୍ଗତ ଗୋଟାଏ ଆଖୁ ବିଲରେ ଘଟିଛି। ଆଖୁ ବିଲରେ ୩୪ ବର୍ଷୀୟ ସନ୍ତରେଶ ଦେବୀ କାମ କରୁଥିବା ବେଳେ କିଛି ଦୂରରେ ତାଙ୍କ ପୁଅ ଟିକେନ୍ଦ୍ର ସାଇନି ଖେଳୁଥିଲା। ହଠାତ୍ ଗୋଟାଏ କଲରାପତ୍ରିଆ ଆସି ଟିକେନ୍ଦ୍ରକୁ ଆକ୍ରମଣ କଲା।
ପୁଅର ଚିତ୍କାର ଶୁଣି ସନ୍ତରେଶ ଧାଇଁ ଯାଇ ଦାଆ ବୁଲାଇ କଲରାପତ୍ରିଆକୁ ଘଉଡ଼ାଇବାକୁ ଆପ୍ରାଣ ଉଦ୍ୟମ କଲେ। କିଛି ସମୟ ପରେ ତାଙ୍କର ଉଦ୍ୟମ ସଫଳ ହେଲା ଓ କଲପତ୍ରିଆକୁ ଟିକେନ୍ଦ୍ରକୁ ଛାଡ଼ି ପଳାଇଗଲା।
କଲରାପତ୍ରିଆ ଆକ୍ରମଣରେ କ୍ଷତବିକ୍ଷତ ହେବାରୁ ପ୍ରବଳ ରକ୍ତସ୍ରାବ ହେଉଥିବା ପୁଅକୁ ସନ୍ତରେଶ ଏକାହିଁ ହାତରେ ଉଠାଇ ଆଖୁବିଲ ବାହାରକୁ ନେଇ ଆସିଲେ। କଲରାପତ୍ରିଆ ଆକ୍ରମଣ ଯୋଗୁଁ ସନ୍ତରେଶ ସାମାନ୍ୟ ଆହତ ହୋଇଥିବା ବେଳେ ଟିକେନ୍ଦ୍ରର ମୁଣ୍ଡ, ବାହୁ, ପେଟ ଓ ବେକରେ ଗଭୀର କ୍ଷତ ହୋଇଥିବାରୁ ସେ ଅବିଳମ୍ବେ ଅଚେତ ହୋଇଗଲା।
ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେବା ସହିତ ଟିକେନ୍ଦ୍ରକୁ ନାଗିନା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଟିକେନ୍ଦ୍ରର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବିଜ୍ନୋର୍ ଜିଲ୍ଲା ହସ୍ପିଟାଲ୍ ଓ ପରେ ଉନ୍ନତ ଚିକିତ୍ସା ନିମନ୍ତେ ‘ଏମ୍ସ୍-ଋଷିକେଶ’କୁ ସ୍ଥାନାନ୍ତର କରାଯାଇଛି। ସରକାର ଟିକେନ୍ଦ୍ରର ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ନାଗିନା ସ୍ବାସ୍ଥ୍ୟ କେନ୍ଦ୍ରର ଇନ୍-ଚାର୍ଜ ଡାକ୍ତର ନବୀନ ଚୌହାନ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
