ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ। ମହମ୍ମଦ ମୋକିମ୍ ଚିଠି ଜରିଆରେ ସୋନିଆ ଗାନ୍ଧୀଙ୍କୁ ଯେଉଁ ଆବେଦନ କରିଥିଲେ, ତାହା ଅଗ୍ରାହ୍ୟ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକ୍ରମେ ଏଆଇସିସି ମହମ୍ମଦ ମୋକିମ୍ ଙ୍କୁ କଂଗ୍ରେସରୁ ବହିଷ୍କାର ଲାଗି ଅନୁମୋଦନ କରିଛି। ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି ମୋକିମ୍। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଚିଠି ଜରିଆରେ ସୂଚନା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ନୂଆଦିଲ୍ଲୀରେ ସେ କହିଛନ୍ତି, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି, ସେମାନେ ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼୍ଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି। ତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ।ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ଏଆଇସିସିର ଅନେକ ବରିଷ୍ଠ ନେତା ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି। ଜୟରାମ ରମେଶ, କେ. ସି. ଭେଣୁଗୋପାଳ, ଅଜୟ ମାକେନ ଓ ଅଭିଷେକ ମନୁ ସିଂଘଭୀଙ୍କ ଭଳି ଏଆଇସିସିର ବରିଷ୍ଠ ନେତାମାନେ ଏହାକୁ ନେଇ କ୍ଷୁବ୍ଧ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜଣାପଡ଼ିଛି ଭକ୍ତ ଦାସ ଏହି ପ୍ରସଙ୍ଗରେ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼୍ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ଏ ସମସ୍ତ ପ୍ରସଙ୍ଗ ଉପରେ ଆଜି କଂଗ୍ରେସ ସଭାପତି ଓ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରୁ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ଭାବେ ଅବଗତ କରାଯାଇଥିଲା।ରାଜ୍ୟସଭା ସାଂସଦ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କଟକ-ବାରବାଟୀରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଥିଲେ। ଏଥି ସହିତ ଦଳର ନେତୃତ୍ଵର ନବୀକରଣ କରାଯାଉ ବୋଲି ଦାବି କରିଥିଲେ। ଓଡ଼ିଶା କଂଗ୍ରେସର ପୁନରୁଦ୍ଧାର ଓ ପୁନଜୀବିତ କରାଗଲେ ଭବିଷ୍ୟତ ମଜବୁତ ହେବ ବୋଲି ମଧ୍ୟ କହିଥିଲେ। ବରିଷ୍ଠ ନେତା କହିଥିଲେ, ଦୀର୍ଘ ଦିନ ହେଲା ଭାରତୀୟ ଜାତୀୟ କଂଗ୍ରେସ ପାଇଁ କାମ କରୁଛି। କଂଗ୍ରେସ ସହିତ ମୋର ପରିବାର କାମ କରିବା ନୂଆ କଥା ନୁହେଁ। ମୋର ଜେଜେବାପାଙ୍କର ବାପା ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ, ଯିଏକି ସ୍ବାଧୀନତା ସଂଗ୍ରାମର କଷ୍ଟ ଜାଣିଥିଲେ। ମୋର ବଡ଼ ଭାଇ ଯିଏ କି ୪୨ ବର୍ଷ ବୟସରେ ପରଲୋକ ଗମନ କରିଥିଲେ, ସେ ମଧ୍ୟ ତାଙ୍କ ଜୀବନକୁ କଂଗ୍ରେସ ସହିତ ଯୋଡ଼ିଥିଲେ। ଶେଷ ନିଃଶ୍ବାସ ନେବା ଯାଏଁ କଂଗ୍ରେସ ପାଇଁ କାମ କରିଥିଲେ। ମୋର ପରିବାରର ପୂର୍ବଜଙ୍କ ଉତ୍ସର୍ଗ ଏବଂ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମୁଁ ମଧ୍ୟ କଂଗ୍ରେସ ପାଇଁ କାମ କରୁଛି। ଜିଲ୍ଲା ସଭାପତି, ପିସିସିର କୋଷାଧ୍ୟକ୍ଷ ଏବଂ ବାରବାଟୀ-କଟକ ବିଧାୟକ ଭାବେ ମୁଁ ମୋର ଜୀବନକୁ ପୂରା କଂଗ୍ରେସ ପାଇଁ ଦେଇଛି। ଦୀର୍ଘ ୩୫ ବର୍ଷ ପରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ୨୦୧୯ରେ ପୁଣି ଥରେ କଂଗ୍ରେସ ପାଖକୁ ଫେରି ଆସିଛି ବୋଲି ମୋକିମ୍ କହିଥିଲେ।
