Odia News Portal

ଦେଢ଼ ବର୍ଷର ଶିଶୁକୁ ମାରି ଆତ୍ମହତ୍ୟା କଲେ ବାପା-ମାଆ

ଘର ଭିତରୁ ୧୫ ମାସର ଶିଶୁ କନ୍ୟା ସମେତ ବାପା, ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୁହାଯାଉଛି ପାରିବାରିକ କଳହରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ ସ୍ତ୍ରୀ । ମୃତକଙ୍କ ଘର ମହାରାଷ୍ଟ୍ର । ହେଲେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଏକ ଭଡା ଘରେ ରହୁଥିଲେ ଏହି ୩ ଜଣ । ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା । ତୁଷାର ଭୁବନେଶ୍ୱରରେ ରହି ପ୍ରାୟ ୬ ମାସ ହେବ ଏକ ହୋଟେଲରେ କାମ କରୁଥିଲେ। ୨ ମାସ ହେବ ପରିବାରକୁ ଆଣି ଭଡ଼ା ଘରେ ରଖୁଥିଲେ । ମାତ୍ର ପାରିବାରିକ କଳହ ଲାଗି ରହୁଥିବାରୁ ହୋଟେଲ ମାଲିକ ତାଙ୍କୁ ଆଣି ଚିନ୍ତାମଣିଶ୍ୱରରେ ଏକ ଭଡ଼ା ଘରେ ପ୍ରାୟ ୨ ଦିନ ତଳେ ରଖିଥିଲେ। ଆଜି ସକାଳେ ତୁଷାରଙ୍କ ପରିବାର କବାଟ ନ ଖୋଲିବାରୁ ପଡ଼ୋଶୀ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବାରୁ ୩ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ଝିଅକୁ ହତ୍ୟା କରି ପରେ ବାପାମା’ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।