Odia News Portal

ଡ.ଅଚ୍ୟୁତ ସାମନ୍ତଙ୍କୁ ICFAI ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ

ଭୁବନେଶ୍ବର() ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ସିକିମର ICFAI (ଇକଫାଇ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସିକିମ୍‌ ରାଜ୍ୟପାଳ ଗଙ୍ଗା ପ୍ରସାଦ ଏହି ସମ୍ମାନଜନକ ଡିଗ୍ରୀ ପ୍ରଦାନ କରିଛନ୍ତି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏହା ହେଉଛି ଡ.ସାମନ୍ତଙ୍କ ୪୪ତମ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ । ଡ. ସାମନ୍ତ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବାରୁ ପୂର୍ବରୁ ତାଙ୍କୁ ଦେଶ, ବିଦେଶର ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରାଯାଇଛି ।

ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ସିକିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂ ତମାଙ୍ଗ, ଶିକ୍ଷାମନ୍ତ୍ରୀ କୁଙ୍ଗା ନିମା ଲେପ୍‌ଚା, ସିକିମ୍‌ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏସ୍‌.ସି ଗୁପ୍ତା ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ପି ଉପାଧ୍ୟାୟଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳାଧିପତି ଡ. ରାମପାଲ୍‌ କୌଷିକ୍‌, କୁଳପତି ଡ.ଜଗନ୍ନାଥ ପଟ୍ଟନାୟକ, କୁଳସଚିବ ଡ.ରବିନ୍ଦ୍ର ଛେତ୍ରୀ, ଇକଫାଇ ସୋସାଇଟି ତଥା ଇକଫାଇ ବିଶ୍ୱବିଦ୍ୟାଳୟ ବୋର୍ଡ ଅଫ୍‌ ଗଭର୍ଣ୍ଣସ୍‌ ଏବଂ ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ଚେୟାରପର୍ସନ ଶୋଭାରାଣୀ ୟାସାୱେ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମାନ ପାଇବା ପରେ ଖୁସି ବ୍ୟକ୍ତ କରିବା ସହ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ଡ.ସାମନ୍ତ ଇକଫାଇ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇଛନ୍ତି।