Odia News Portal

ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ()   ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇଟି ପ୍ଲାଟଫର୍ମ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଅଧୀନରେ ଆସିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଦେଶରେ ଚାଲୁଥିବା ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଓ ଅନଲାଇନ୍ କଣ୍ଟେଣ୍ଟ ପ୍ରୋଗ୍ରାମ ଏଣିକି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ । ଆଜି ଏନେଇ କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଏହାଦ୍ୱାରା ଏଣିକି ଅନଲାଇନ୍ ମାଧ୍ୟମରେ ପ୍ରସାରିତ ହେଉଥିବା ସମସ୍ତ ଭିଡିଓ, ଅଡିଓ, ନ୍ୟୁଜ୍ ଆଦି ସୂଚନା ଓ ପ୍ରସାରଣ ବିଭାଗର ନିୟମ ଅଧୀନରେ ଆସିବ। ଯେ କେହି, ଏହି ନିୟମ ଉଲ୍ଲଂଘନ କରିବ ସେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବ ବୋଲି କୁହାଯାଇଛି। କିଛି ଦିନ ତଳେ ସୁପ୍ରିମକୋର୍ଟ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଜାରି କରିଥିଲେ। ଅନଲାଇନ୍ ମିଡିଆକୁ ନେଇ ଖୁବଶୀଘ୍ର ଏକ ରେଗୁଲେସନ ଆଣିବାକୁ କୋର୍ଟ କହିଥିଲେ। ଅନ୍ ଲାଇନ ଓ୍ୱେବସାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ପାଖରେ ଖବର ପ୍ରସାରଣ କରିବାର ସ୍ୱାଧୀନତା ରହିବ । କିନ୍ତୁ ଖବର ପ୍ରସାରଣ ନେଇ ଉତ୍ତରଦାୟୀ ହେବାକୁ ପଡ଼ିବ । କୌଣସି ଖବର ବା ଭିଡିଓକୁ ନେଇ ଆପତ୍ତି ଉଠିଲେ ସରକାର ଜବାବ ତଲବ କରିପାରିବେ ।