ଆସନ୍ତା ୨୭ ତାରିଖରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ। ମୋଟ୍ ୧୮୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ତେବେ ଏଡିଆର ଦ୍ବାରା ୧୮୪ ପ୍ରାର୍ଥୀଙ୍କ ସତ୍ୟପାଠ ଆକଳନ କରି ଏହା ପ୍ରକାଶ କରାଯାଇଛି ଯେ ୧୮୪ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ ୬୮ ଜଣ ଜାତୀୟ ଦଳର ହୋଇଥିବା ବେଳେ ୭୨ ଜଣ ଆଞ୍ଚଳିକ ଦଳର। ମାନ୍ୟତା ପାଇନଥିବା ଦଳରୁ ୨୫ ଜଣ ନିର୍ବାଚନ ଲଢ଼ୁଛନ୍ତି ଏବଂ ୧୯ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ତେବେ ୨୦୧୮ରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ମୋଟ୍ ୧୯୩ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଥିଲେ। ୩ ଜଣ ସେମାନଙ୍କ ବିରୋଧରେ ଅତି ସାଂଘାତିକ ଅପରାଧିକ ମାମଲା ଥିବା ଘୋଷଣା କରିଥିଲେ।
ପ୍ରମୁଖ ଦଳ ଗୁଡ଼ିକ ମଧ୍ୟରେ ଏନ୍ଡିପିପିର ମୋଟ୍ ୪୦ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ, ବିଜେପିର ୨୦ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ, ଏନ୍ପିଏଫ୍ର ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଏବଂ କଂଗ୍ରେସର ୨୩ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ୨ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ହତ୍ୟା ମାମଲା ଥିବା ଘୋଷଣା କରିଛନ୍ତି। ମୋଟ୍ ୧୮୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୬ ଜଣ ତଥା ୬୩ ପ୍ରତିଶତ ପ୍ରାର୍ଥୀ କୋଟିପତି। ୨୦୧୮ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ମୋଟ୍ ୧୯୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୪ ଜଣ ତଥା ୫୯ ପ୍ରତିଶତ ପ୍ରାର୍ଥୀ କୋଟିପତି ଥିଲେ। ବିଜେପିର ୨୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ଜଣ କୋଟିପତି ହୋଇଥିବା ବେଳେ ଏନ୍ଡିପିପିର ୪୦ ପ୍ରାର୍ଥୀଙ୍କ ମଧ୍ୟରୁ ୩୪ ଜଣ କୋଟିପତି। ୨୦୨୩ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କର ହାରାହାରି ସମ୍ପତ୍ତି ମୂଲ୍ୟ ୫.୧୩ କୋଟି। ୨୦୧୮ ନିର୍ବାଚନରେ ୧୯୩ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୩.୭୬ କୋଟି ଥିଲା।
