Odia News Portal

ନାଗେଶ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର: ଦିଲ୍ଲୀରେ ନଭେମ୍ବର ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନାଗେଶ ଟ୍ରଫି ଦୃଷ୍ଟିହୀନ ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ (କାଭି) ପକ୍ଷରୁ ବୁଧବାର ୧୪ ଜଣିଆ ଦଳ ଘୋଷଣା କରାଯାଇଛି । ଅଧିକାର ମାକ୍ରୋ ଫାଇନାନ୍ସ ସଭାପତି ନୁରୁଦ୍ଦିନ ଅମିନ୍‌ଙ୍କ ଉପସ୍ଥିତିରେ ଘୋଷିତ ଦଳରେ ୬ ଜଣ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସାମିଲ କରାଯାଇଛି । ଦଳର ନେତୃତ୍ୱ ଅନ୍ତର୍ଜାତୀୟ ଷ୍ଟାର୍ ମହମ୍ମଦ ଜାଫର୍ ଇକ୍‌ବାଲ୍‌ଙ୍କୁ ପ୍ରଦାନ କରାଯାଇଥିବା ବେଳେ ପଙ୍କଜ ଭୁଏଙ୍କୁ ତାଙ୍କର ଡେପୁଟି ନିଯୁକ୍ତ କରାଯାଇଛି ।

ସେହିପରି ଦଳର ଅନ୍ୟ ସଦସ୍ୟମାନେ ହେଲେ କାଳିଆ ପ୍ରଧାନ, ତପନ କୁମାର ଗୌଡ଼, ଦେବରାଜ ବେହେରା, ଅନୀଲ୍ ମଲିକ, ଆକାଶ ରାଉତ, ସିଙ୍ଗରାଜ ମାଝୀ, ନକୁଳ ବଡ଼ନାୟକ, ଲାଲପ୍ରସାଦ ସୋରେନ୍‌, ଅର୍ଜୁନ ଭତ୍ରା, ସୁଖରାମ ମାଝୀ (ୱିକେଟ୍‌କିପର୍‌), ଲିଙ୍ଗରାଜା ରାଉତରା, ଧନପତି ଗୌଡ଼ (ୱିକେଟ୍‌କିପର୍‌) । ଚନ୍ଦ୍ରଶେଖର ପଟ୍ଟନାୟକ ଦଳର କୋଚ୍ ଥିବାବେଳେ ଦେବାଶିଷ ଜେନା ସହାୟକ କୋଚ୍ ରହିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଉଥିବା ୨୪ଟି ଦଳକୁ ୪ଟି ଗ୍ରୁପ୍‌ରେ ଭାଗ କରାଯାଇଛି ।

ଗ୍ରୁପ୍‌-ଏ’ ଓ ବି’ ଏଲିଟ୍ ଗ୍ରୁପ୍ ହୋଇଥିବା ବେଳେ ଗ୍ରୁପ୍‌-ସି’ ଓ ଡି’ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ । ଗ୍ରୁପ୍‌-ଏ’ ଓ ବି’ରୁ ୬ଟି ଏବଂ ସି’ ଓ ଡି’ରୁ ୨ଟି ମୋଟ ୮ଟି ଦଳ କ୍ୱାର୍ଟରଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବେ । ଗତ ଥରର ରନର୍ସଅପ୍ ଓଡ଼ିଶା ଏଲିଟ୍ ଗ୍ରୁପ୍‌-ବି’ରେ ସ୍ଥାନ ପାଇଥିବା ବେଳେ ନଭେମ୍ବର ୧୭ ତାରିଖରେ ତାମିଲନାଡ଼ୁ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ଏହାପରେ ନଭେମ୍ବର ୧୮ରେ ଝାଡ଼ଖଣ୍ଡ, ୧୯ରେ ଦିଲ୍ଲୀ, ୨୦ରେ ଉତ୍ତରପ୍ରଦେଶ ଏବଂ ୨୧ରେ ହରିୟାଣାକୁ ଭେଟିବ ।

କ୍ୱାର୍ଟର୍‌ଫାଇନାଲ୍ ମ୍ୟାଚ୍‌ଗୁଡ଼ିକ ନଭେମ୍ବର ୨୩ ତାରିଖରେ ଏବଂ ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ନଭେମ୍ବର ୨୪ ତାରିଖରେ ଅନୁଷ୍ଠିତ ହେବ । ନଭେମ୍ବର ୨୫ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟ୍ ପାଇଁ କାଭି ଓଡ଼ିଶା ପକ୍ଷରୁ ଅଧିକାର ମାଇକ୍ରୋ ଫାଇନାନ୍ସ ସହାୟତାରେ ସ୍ଥାନୀୟ ହାଇଟେକ୍ ମେଡିକାଲ୍ କଲେଜ ଗ୍ରାଉଣ୍ଡ୍‌ରେ ଓଡ଼ିଶା ଦଳର ଟ୍ରେନିଂ କ୍ୟାମ୍ପ୍ ଆୟୋଜନ କରାଯାଉଛି ବୋଲି କାଭି ଓଡ଼ିଶା ସଭାପତି ମହମ୍ମଦ ଜାଫର୍ ଇକ୍‌ବଲ୍ ଜଣାଇଛନ୍ତି ।