Odia News Portal

‘ଭାରତ ବାୟୋଟେକ୍’ର ନାଜାଲ୍ କୋଭିଡ୍ ଟିକାକୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରି

ଭାରତ ବାୟୋଟେକର ‘ଇଣ୍ଟ୍ରାନାଜାଲ କୋଭିଡ’ ଟିକାକୁ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ‘ବୁଷ୍ଟର’ ଡୋଜ୍ ଭାବରେ ବ୍ୟବହାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟିକା ପାଇଁ କୌଣସି ସିରିଞ୍ଜ୍ ବ୍ୟବହାର କରାଯିବ ନାହିଁ ବରଂ ଏହା ନାକ ପଟେ ଦିଆଯିବ। ଏହି ନାଜାଲ୍ ଟିକା ପ୍ରଥମେ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ । ଏହାକୁ ଆଜି ସନ୍ଧ୍ୟା ସୁଦ୍ଧା ଟିକାକରଣ ପଞ୍ଜୀକରଣ ପ୍ଲାଟଫର୍ମ ‘କୋ-ୱିନ’ରେ ମଧ୍ୟ ଜାରି କରାଯିବ।

‘ବିବିଭି୫୪’ ନାମକ ଏହି ନାଜାଲ୍ ଟିକାକୁ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ‘ବୁଷ୍ଟର୍’ ଡୋଜ ଭାବେ ବ୍ୟବହାର କରିବାକୁ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ) ଅନୁମୋଦନ କରିଥିଲା।

ଚୀନ୍ ସହ ବିଶ୍ବର ଅନ୍ୟ କିଛି ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହି ଟିକାକୁ ସରକାରଙ୍କ ମଞ୍ଜୁରି ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶର କୋଭିଡ୍ ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଆନ୍ତର୍ଜାତୀୟ ବିମାନବନ୍ଦରରେ ସର୍ଭିଲାନ୍ସ କଡ଼ାକଡ଼ି କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ଅପିଲ କରିଥିଲେ।