Odia News Portal

ଯାଜପୁରରେ ଉଦଘାଟିତ ହେଲା ଓଡିଶାର ପ୍ରଥମ ମିଶନ ଶକ୍ତି ଭବନ

ଉଦଘାଟିତ ହେଲା ଓଡିଶାର ପ୍ରଥମ ମିଶନ ଶକ୍ତି ଭବନ । ଯାଜପୁରରେ ପ୍ରତିଷ୍ଠା ହୋଇଥିବା ଓଡିଶାର ପ୍ରଥମ ମିଶନ ଶକ୍ତି ଭବନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପୁରରେ ଏହି ପ୍ରକଳ୍ପକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି। ଏହା ଜିଲ୍ଲାର ମିଶନ ଶକ୍ତି ମହିଳାଙ୍କୁ ଆତ୍ମନିର୍ଭର କରିବ।

ଯାଜପୁରରେ ମିଶନ ଶକ୍ତି ଅଧିନରେ ୨୫ ହଜାର ୮୫୯ଟି ସ୍ବୟଂ ସହାୟକ ଗୋଷ୍ଠୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୫ଶହ ସ୍ବୟଂ ସହାୟକ ଗୋଷ୍ଠୀ ସକ୍ରୀୟ ରହିଥିବା ଜଣାପଡିଛି । ତେବେ ଅନ୍ୟ ଗୋଷ୍ଠୀଙ୍କୁ କ୍ରିୟାଶୀଳ କରିବା ପାଇଁ ଏହି ମିଶନ ଶକ୍ତି ଭବନର ପରିକଳ୍ପନା କରାଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀର ପ୍ରସ୍ତୁତ ସାମଗ୍ରୀ ଦୈନିକ ବଜାର କରି ବିକ୍ରି କରିବା ସହ ଅଣକୁଶଳୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା କାରିଗରଙ୍କୁ ଉପଯୁକ୍ତ ତାଲିମ ଦେବାକୁ ଏହି ଭବନରେ ବ୍ୟବସ୍ଥା କରାଯାଇଛି ।

ଏହି ଭବନ ଜରିଆରେ ଯାଜପୁର ଜିଲ୍ଲା ମା ମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଟସର, ଟେରାକୋଟା, ବାଉଁଶ, ସବାଇ ଘାସ, କାଠ, ପିତଳ ଜାତ ସାମଗ୍ରୀକୁ ଦେଶ ବିଦେଶରେ ବିକ୍ରି କରାଯାଇ ପାରିବା ସହ ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯାଇପାରିବ । ସେଥିପାଇଁ ବିଭିନ୍ନ ଅନଲାଇନ କମ୍ପାନୀ ସହ ଯୋଗସୂତ୍ର ରକ୍ଷା କରାଯିବ। ମହିଳାମାନଙ୍କୁ ଏଠାରେ ସିଲେଇ ଓ କମ୍ପୁଟର ଶିକ୍ଷା ସହ ରହିବାର ମଧ୍ୟ ବ୍ୟବସ୍ଥା ରହିଛି । ଏହି ମିଶନ ଶକ୍ତି ଭବନରେ କେବଳ ଯାଜପୁର ଜିଲ୍ଲ‌ାର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯିବ । ଏହାର ପରିଚାଳନା ଭାର ଜିଲ୍ଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘକୁ ପ୍ରଦାନ କରାଯାଇଛି ।