Odia News Portal

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ନୂଆ ରୂପରେ ଲାଗୁ ହେବ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର: ଆଜି ଦେଶ ପାଳନ କରୁଛି ୭୫ତମ ସ୍ଵାଧିନତା ଦିବସ। ପଲ୍ଲୀରୁ ଦିଲ୍ଲୀ ଉତ୍ସବ ମୁଖର।ଏହି ଅବସରରେ ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟରେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଏକ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ରୂପରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ସାରା ଓଡ଼ିଶା ମୋ ପରିବାର। ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ । ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଁ ଘୋଷଣା କରୁଛି ।’

ନୂଆ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୯୬ ଲକ୍ଷ ପରିବାର ତଥା ସାଢେ ତିନି କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ ହେଲ୍ଥ କାର୍ଡ। ସାରା ଓଡ଼ିଶାରେ ପର‌୍ୟ୍ୟାୟକ୍ରମେ ଏହି କାର୍ଡ ଦିଆଯିବ। ଏଭଳି ସ୍ମାର୍ଟ ହେଲ୍ଥ କାର୍ଡ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ। ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ, ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍ଥ କାର୍ଡ ମିଳିବ । ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ। ଓଡିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲ ଚେନ୍ ମାନଙ୍କରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ ବୋଲି ନବୀନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ‘ଏହା ସାରା ଦେଶର ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିବ । ମୋର ବିଶ୍ଵାସ, ମୋର ପ୍ରିୟ ଓଡ଼ିଶାବାସୀଙ୍କୁ ସ୍ଵାସ୍ଥ୍ୟ ନିରାପତ୍ତାକୁ ଆହୁରି ସୁଦୃଢ କରିବାରେ ଏହି ବ୍ୟବସ୍ଥା ବିଶେଷ ସାହାଯ୍ୟ କରିବ । ରାଜ୍ୟରେ ସ୍ଵାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ ।’