Odia News Portal

ଦଶହରାରେ କନ୍ଧମାଳବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ୱର: ନିଆରା ପଦକ୍ଷେପ ଏବଂ ନୂଆ ଯୋଜନା ଲାଗି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି ମଧ୍ୟ ସଭିଙ୍କ ପ୍ରିୟ ହୋଇଛନ୍ତି ନବୀନ । ଶାରଦୀୟ ପୂଜା ଅବସରରେ କନ୍ଧମାଳବାସୀଙ୍କୁ ପୁଣି ଥରେ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୭ଟି ବ୍ଲକ୍ ପାଇଁ ୬୫୮ କୋଟି ଟଙ୍କାରେ ମେଗା ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଏନେଇ କନ୍ଧମାଳ ଜିଲ୍ଲା କ.ନୁଆଗାଁ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଜିଲ୍ଲା ବିଜେଡ଼ି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଏହି ମେଗା ପାନୀୟଜଳ ପ୍ରକଳ୍ପ ଦ୍ବାରା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡ଼ା, ଚକାପାଦ, ଜି.ଉଦୟଗିରି ଓ କ.ନୁଆଗାଁରେ ପାନୀୟ ଜଳ ପ୍ରକଳ୍ପକୁ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାର ମୋଟ ୬ଟି ବ୍ଲକର ୬୩୭ଟି ଗାଁରେ ପ୍ରାୟ ୪ଲକ୍ଷ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର ଉପସ୍ଥିତ ରହି ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି । ଜିଲ୍ଲାର ବିକାଶମୂଳକ କାର୍ୟ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାବାସୀ ।