Odia News Portal

ଦୁଗ୍ଧ ଚାଷୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ଲାଗି ସମସ୍ତଙ୍କ ବେପାର ମାନ୍ଦା ହୋଇଛି । ତେବେ ଏଭଳି ସ୍ଥଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମସ୍ତ ବର୍ଗର ଲୋକଙ୍କ ଲାଗି ସହାୟତା ରାଶି ଘୋଷଣା କରୁଛନ୍ତି । ଏହାରି ଭିତରେ ଅନେକ ବର୍ଗର ଲୋକ ତଥା ଚାଷୀ, ଉଠା ଦୋକାନୀ ଓ ନିର୍ମାଣ ଶ୍ରମିକଙ୍କ ଲାଗି ସହାୟତା ରାଶି ଘୋଷଣା କରିସାରିଛନ୍ତି । ତେବେ ଆଜି ଦୁଗ୍ଧ ଚାଷୀଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ। ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍ଧ ଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଛୋଟ ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ ଧରଣର ହ୍ରାସ ଘଟିଥିବାରୁ, ଏହା ଦୁଗ୍ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହାସହ ଚାଷୀଙ୍କ ଆର୍ଥିକ ଉନ୍ନତିରେ ଏହି ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।