Odia News Portal

ଉପେନ୍ଦ୍ର କୁମାର ପାହାଡସିଂଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରତିଷ୍ଠ ରେଡିଓ ଉପସ୍ଥାପକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଗତକାଲି ପରଲୋକ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁ ଗମ୍ଭୀର ସ୍ୱର ଲାଗି ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉପେନ୍ଦ୍ର । ନିଜ ଟ୍ବିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି “ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ବେତାର ସମ୍ବାଦ ପରିବେଷଣ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।“

ଗତକାଲି ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ଶ୍ରୀ ପାହାଡ଼ସିଂହଙ୍କ ହୃଦଘାତରେ ପରଲୋକ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ନିଜର ଗୁରୁଗମ୍ଭୀର ସ୍ବର ଓ ନିଆରା ପରିବେଷଣ ଶୈଳୀ ପାଇଁ ସେ ଓଡ଼ିଶାବାସୀଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ । ତାଙ୍କ ପରଲୋକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।