ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଆଦିବାସୀ ଗାଁ ନୂଆ ବରିପାଳ । ରାସ୍ତା, ବିଦ୍ୟୁତ, ଶିକ୍ଷା ଏବଂ ପାନୀୟ ଜଳ ଭଳି ଉତ୍କଟ ସମସ୍ୟା ଭିତରେ ଜିଉଁଛନ୍ତି ଦୁର୍ବିସହ ଜୀବନ । ଏକ ବିଂଶ ଶତାବ୍ଦୀରେ ଆଧୁନିକତା ଏମାନଙ୍କ ପାଇଁ ସ୍ବପ୍ନ ହୋଇଥିବା ବେଳେ ଭଲ କି ଟିକିଏ ବଞ୍ଚିବା ନିମନ୍ତେ ଖୋଜୁଛନ୍ତି ରାହା ।
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ବରିପାଳ ପଞ୍ଚାୟତ ନୂଆ ବରିପାଳ ମାଦିଳିଆ ସାହିରେ ବିକାଶ ଅପହଞ୍ଚ । ଏଠାକାର ଲୋକେ ଏଯାବତ ପାଣି, ରାସ୍ତା ଓ ବିଦ୍ୟୁତ୍ ପରି ମୌଳିକ ସୁବିଧାରୁ ବଞ୍ଚିତ । ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ବେଳେ ଚୁଆପାଣି ପିଇ ଲୋକେ ଶୋଷ ମେଣ୍ଟାଉଛନ୍ତି ।
ମାଦିଳିଆସାହିରେ ୨୦୦ରୁ ଊର୍ଦ୍ଧ୍ବ ଲୋକ ବାସ କରୁଛନ୍ତି । ସମସ୍ତ ପରିବାର ଅନୁସୂଚିତ ଜନଜାତି ବର୍ଗର । ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଆଜି ପର୍ଯ୍ୟନ୍ତ ସାହିକୁ ରାସ୍ତା ନିର୍ମାଣ ହୋଇନଥିବାରୁ ପାହାଡ଼ିଆ ରାସ୍ତା ଓ ବିଲହିଡ଼ରେ ଲୋକେ ଯାତାୟାତ କରୁଛନ୍ତି । ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ସାହିରେ ଆମ୍ବୁଲାନ୍ସ ପହଞ୍ଚିପାରୁ ନାହିଁ । ବାଇକ୍ କିମ୍ବା ଖଟିଆରେ ତିନି କିଲୋମିଟର ବୋହି ରୋଗୀକୁ ଆଣିବା ପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଉଛି। ବହୁ କଷ୍ଟରେ ସ୍କୁଲ ଯିବାକୁ ପଡ଼ୁଛି । ସାହିବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ନଳକୂପଟିଏ ମଧ୍ୟ ଖୋଳାଯାଇ ନାହିଁ। ଗ୍ରାମବାସୀ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । ଚୁଆର ଗୋଳିଆ ପାଣି ବ୍ୟବହାର କରି ଲୋକେ ଅନେକ ସମୟରେ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରଖର ଖରା ଯୋଗୁ ଚୁଆ ପାଣି ଶୁଖିଯିବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
ସେହିପରି ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହୋଇନି । ଲୋକେ ଅନ୍ଧାରରେ ରହୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ବିଦ୍ୟୁତ୍ ନଥିବାରୁ ରାତିରେ ବନ୍ୟଜନ୍ତୁଙ୍କ ଭୟ ରହୁଛି । ଜଙ୍ଗଲ ରାସ୍ତା ଦେଇ ବହୁ କଷ୍ଟରେ ୮ କିମି ଦୂର ପଞ୍ଚାୟତ କାର୍ଯ୍ୟାଳୟରୁ ରାସନ୍ ସାମଗ୍ରୀ ଆଣିବାକୁ ପଡ଼ିଥାଏ । ଅନ୍ୟ ପକ୍ଷରେ ରାସ୍ତା ନିର୍ମାଣରେ ଜଙ୍ଗଲ ବିଭାଗ ବାଧକ ସାଜିଛି ଏବଂ ପାନୀୟ ଜଳର ସୁବିଧା ଶୀଘ୍ର କରାଯିବ ବୋଲି ସରପଞ୍ଚ କହିଛନ୍ତି । ମୌଳିକ ସୁବିଧାରୁ ଦୂରରେ ଥିବା ଏହି ଗ୍ରାମବାସୀଙ୍କ ସାଧାରଣ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଦାବି ଜୋର ଧରିଛି ।
