ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ: ଗୌରବାନ୍ବିତ କଲେ ପ୍ରଜ୍ଞା, ଅନିମେଷ By Swadhikar News Last updated Aug 11, 2025 ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ (କାଂସ୍ୟ) ରବିବାର କଳିଙ୍ଗ ଷ୍ଟାଡିୟମ୍ରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ତା’ ସହିତ ଓଡ଼ିଶା କ୍ରୀଡ଼ା ଇତିହାସରେ ଆୟୋଜନ ଓ ପ୍ରାୟୋଜନର ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଏହି ବହୁ ରାଷ୍ଟ୍ରୀୟ ତଥା ବହୁ ଇଭେଣ୍ଟ୍ ବିଶିଷ୍ଟ ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଏବଂ କଳିଙ୍ଗ ଷ୍ଟାଡିୟମ୍ ପ୍ରଥମ ଭେନ୍ୟୁ ହେବାର ଗୌରବ ଅର୍ଜନ କରିଛି। ସେହିଭଳି ଓଡ଼ିଶାର ଦୁଇ ତାରକା ଅନିମେଷ କୁଜୁର ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଯଥାକ୍ରମେ ପୁରୁଷ ୨୦୦ ମିଟର ଏବଂ ମହିଳା ୧୦୦ ମିଟର ବାଧାଦୌଡ଼ର ପ୍ରଥମ ସ୍ଥାନରେ ରହିବା ରାଜ୍ୟକ୍ରୀଡ଼ା ପାଇଁ ଐତିହାସିକ ଅଧ୍ୟାୟ ହୋଇଛି। ଉଭୟ ନିଜନିଜ ଇଭେଣ୍ଟରେ ଆଧିପତ୍ୟ ବିସ୍ତାର କରିବା ମଧ୍ୟ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଛି। ଅନିମେଷ ୨୦.୭୭ ସେକେଣ୍ଡ ଏବଂ ପ୍ରଜ୍ଞାପ୍ରଶାନ୍ତି ୧୩.୭୪ ସେକେଣ୍ଡ ସମୟ ସହ ପ୍ରଥମ ସ୍ଥାନରେ ରହି ନିଜନିଜ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ। ଏହି ଦିନିକିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟ ଦୁଇ ଓଡ଼ିଆ ତାରକା ଶ୍ରାବଣୀ ନନ୍ଦ ଏବଂ ଲାଲୁ ପ୍ରସାଦ ଭୋଇ ମହିଳା ଓ ପୁରୁଷ ୧୦୦ ମିଟରର ଯଥାକ୍ରମେ ପଞ୍ଚମ ଓ ଚତୁର୍ଥ ସ୍ଥାନରେ ରହିବା ଅବଶ୍ୟ ସାମାନ୍ୟ ନୈରାଶ୍ୟଜନକ ଖବର ହୋଇଛି। swadhikarswadhikar news Share