Odia News Portal

ଗୋଟିଏ କ୍ୟାମ୍ପସ୍‌ରେ ନୂଆ ଲୋକସେବା ଭବନ, ବିଧାନସଭା: ଖର୍ଚ୍ଚ ଅଟକଳ ୩୬୨୩ କୋଟି

ଆଗାମୀ ଡିଲିମିଟେସନ୍ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ବେଳେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ଆହୁରି ୫୦ଟି ବଢ଼ିପାରେ। ଏ‌ବେ ଥିବା ୭୦ ବର୍ଷ ତଳର ବିଧାନସଭା କୋଠାରେ ସମ୍ପ୍ରସାରଣ ସୁଯୋଗ ନାହିଁ। ତେଣୁ ଆଗାମୀ ୭୦ରୁ ୧୦୦ ବର୍ଷକୁ ନଜରରେ ରଖି ରାଜ୍ୟ ସରକାର ନୂଆ ବିଧାନସଭା କୋଠାର ଯୋଜନା କରିଛନ୍ତି। ଏଠାରେ ପ୍ରାୟ ୩୦୦ ବିଧାୟକ ବସିବା ଭଳି ବିଧାନସଭା ଗୃହନିର୍ମାଣ ସହ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ। ଏହି ଦୁଇମହଲା ବିଶିଷ୍ଟ କୋଠା (ବି+ଜି+୧) ଢାଞ୍ଚାରେ ନିର୍ମାଣ ହେବ। ଏଠାରେ ଭୂତଳ ପାର୍କିଂ ଏବଂ ସ୍ବତନ୍ତ୍ର ପାର୍କିଂ ଅଞ୍ଚଳ ରହିବ। ଏଥିପାଇଁ ୩୮୭.୯୪ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କହିଛନ୍ତି। ସେହିପରି ବର୍ତ୍ତମାନର ଲୋକସେବା ଭବନରେ ଅଧିକାରୀ ଓ କର୍ମଚାରୀ ବସିବାକୁ ପର୍ଯ୍ୟାପ୍ତ ପ୍ରକୋଷ୍ଠ ନାହିଁ। ପ୍ରାୟ ୬୭ ବର୍ଷ ତଳେ ନିର୍ମାଣ ହୋଇଥିବା ଲୋକସେବା ଭବନ (ସଚିବାଳୟ)କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।ଖାରବେଳ ଭବନ ଏବଂ ଓପେପା କ୍ୟାମ୍ପସ୍‌ ନିକଟରେ ଏହାକୁ ନିର୍ମାଣ କରାଯିବ। ଏହାର ନାମ ରହିବ ଲୋକସେବା ଭବନ (ସଚିବାଳୟ) ଏବଂ ମନ୍ତ୍ରଣାଳୟ କୋଠା। ପ୍ରାୟ ୧୪.୫ ଏକର ଜମିରେ ୧୨ ମହଲା କୋଠା ନିର୍ମାଣ ହେବ। ପର୍ଯ୍ୟାପ୍ତ ଗାଡ଼ି ପାର୍କିଂ ପାଇଁ ଏହି କୋଠାରେ ୩ ମହଲା ବିଶିଷ୍ଟ ଭୂତଳ ପାର୍କିଂ ନିର୍ମାଣ ହେବ। ଏଠାରେ ୪୫ଟି ବିଭାଗର କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ ଏବଂ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟ ପାଇଁ ଗୋଟିଏ ଲେଖାଏଁ ଉତ୍ସର୍ଗୀକୃତ ମହଲା ରହିବ। ଆଗନ୍ତୁକଙ୍କ ପାଇଁ ତିନି ମହଲା ବିଶିଷ୍ଟ ସ୍ବତନ୍ତ୍ର ଭୂତଳ ପାର୍କିଂ ଅଞ୍ଚଳ ରହିବ। ଲୋକସେବା ଭବନ, ମନ୍ତ୍ରଣାଳୟର କର୍ମଚାରୀ ଏବଂ ଆଗନ୍ତୁକଙ୍କ ପାଇଁ ପୃଥକ ପୃଥକ ପାର୍କିଂ ଅଞ୍ଚଳ ନିର୍ମାଣ କରାଯିବ।ମୋଟ୍ ୩ଟି ପର୍ଯ୍ୟାୟରେ ନୂଆ ବିଧାନସଭା, ଅତ୍ୟାଧୁନିକ ଲୋକସେବା ଭବନ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ସରକାରୀ କୋଠା ନିର୍ମାଣ ହେବ। ୭୧.୧୩ ଏକର ଜାଗାରେ ଗୋଟିଏ କ୍ୟାମ୍ପସ୍‌ରେ ଲୋକସେବା ଭବନ ଓ ବିଧାନସଭା କୋଠା ରହିବ। ଏଥିପାଇଁ ୩୬୨୩ କୋଟି ଖର୍ଚ୍ଚ ହେବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅତ୍ୟାଧୁନିକ ଲୋକସେବା ଭବନ କମ୍ପ୍ଲେକ୍ସ ଏବଂ ବିଧାନସଭା କୋଠାକୁ ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନିର୍ମାଣ କରାଯିବ।ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ରାଜୀବ ଭବନ ନିକଟରେ ଏକ ୧୨ ମହଲା ବିଶିଷ୍ଟ ବିପର୍ଯ୍ୟୟ ପରିଚାଳନା ଭବନ (୩ବି+ଜି+୧୧) ନିର୍ମାଣ ହେବ। ଏବେ ଲୋକସେବା ଭବନର ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ତିନିଥାକିଆ ଭୂତଳ ପାର୍କିଂ ଅଞ୍ଚଳ ନିର୍ମାଣ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୧୨ମହଲା ବିଶିଷ୍ଟ ନୂଆ ଲୋକସେବା ଭବନ କୋଠା, ଦୁଇଟି ସର୍ଭିସ କୋଠା (ବି+ଜି+୧), ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଯେଉଁ କାର୍ଯ୍ୟାଳୟଗୁଡ଼ିକୁ ଏବେ ଭଙ୍ଗାଯିବ ସେଗୁଡ଼ିକ ପାଇଁ ପାୱାର ହାଉସ ଛକ ନିକଟ ନିର୍ମାଣ ସୌଧ ସମ୍ମୁଖରେ ୧.୭୧ ଏକରରେ ଆଉ ଏକ ୧୨ ମହଲା ବିଶିଷ୍ଟ (୩ବି+ଜି+୧୧) କୋଠା ନିର୍ମାଣ ହେବ। ଏଥିପା‌ଇଁ ୧୪୭୦.୪୪ କୋଟି ଖର୍ଚ୍ଚ ହେବ। ତୃତୀୟ ପର୍ଯ୍ୟାୟରେ ନୂଆ ବିଧାନସଭା କୋଠା ନିର୍ମାଣ ହେବ। ଖୁବ୍‌ଶୀଘ୍ର ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହେବ। ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମୁଦାୟ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରୁ ପ୍ରାୟ ୫,୬୩୦ କୋଟି ଟଙ୍କାର ୩୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର କରାଯାଇଥିବା ବେଳେ ପ୍ରାୟ ୧,୦୭୦ କୋଟି ଟଙ୍କାର ୩୨ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଏହି କୋଠାଗୁଡ଼ିକ ପାୱାର ହାଉସ୍ ଛକରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଞ୍ଚଳକୁ ନେଇ ବର୍ତ୍ତମାନର ବିଧାନସଭା ଏବଂ ଲୋକସେବା ଭବନ ପଛ ଗେଟ୍ ପାଚେରି ପର୍ଯ୍ୟନ୍ତ  ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ଏବେ ସୁଦ୍ଧା ଟେଣ୍ଡର ଆହ୍ବାନ ହୋଇନି। ନୂଆ ବିଧାନସଭା ନିର୍ମାଣ ହେଲେ ପୁରୁଣା ବିଧାନସଭାର କ’ଣ ହେବ, ସେ ସଂପର୍କରେ ବି ସରକାର କିଛି ସ୍ପଷ୍ଟ କରିନାହାନ୍ତି।