ଦିଲ୍ଲୀରେ ନିକି ଯାଦବ ହତ୍ୟା ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଆଜି ଏହି ମାମଲାରେ ବିସ୍ତୃତ ତଥ୍ୟ ରଖିଛନ୍ତି। ହତ୍ୟାକାରୀ ସାହିଲ ଗେହଲଟ ତା’ର ଲିଭ୍-ଇନ୍ ସଂଗିନୀ ନିକିଙ୍କୁ ଗୋଆରେ ହିଁ ହତ୍ୟା କରିବାକୁ ଯୋଜନା କରିଥିଲା। କିନ୍ତୁ ଟିକଟ ହୋଇନପାରିବାରୁ ସାହିଲ ତା’ ଯୋଜନା ବଦଳାଇ ଦେଇଥିଲା।
ଦକ୍ଷିଣ ଦିଲ୍ଲୀର ମିତ୍ରାଓଁ ଗ୍ରାମନିବାସୀ ୨୪ ବର୍ଷୀୟ ସାହିଲକୁ ଦିଲ୍ଲୀ କୋର୍ଟ ବୁଧବାର ୫ ଦିନ ପାଇଁ ପୁଲିସ ହାଜତକୁ ପଠାଇଦେଇଛନ୍ତି। ସାହିଲ ନିକିଙ୍କୁ ତଣ୍ଟିଚିପି ହତ୍ୟା କରି ମୃତ ଶରୀରକୁ ନିଜ ଢାବାରେ ଥିବା ଫ୍ରିଜ୍ରେ ବନ୍ଦ କରିଦେଇ ସେହିଦିନ ଅନ୍ୟ ଏକ ଝିଅକୁ ବାହା ହେବାକୁ ଚାଲିଯାଇଥିଲା। ଦକ୍ଷିଣପଶ୍ଚିମ ଦିଲ୍ଲୀସ୍ଥିତ ନିକିଙ୍କ ଆପାର୍ଟମେଣ୍ଟରୁ ଫେରି ନିଜାମୁଦ୍ଦିନରେ ପହଞ୍ଚିବା ପରେ ସାହିଲ ଯେତେବେଳେ ନିଜ ପାଇଁ ଟିକେଟ କରିପାରିଲା ନାହିଁ, ସେତେବେଳେ ନିକି ଓ ସାହିଲ ଗୋଆ ବଦଳରେ ପାହାଡ଼ ଆଡ଼େ ଯିବା ପାଇଁ ଆନନ୍ଦ ବିହାର ଆଇଏସ୍ବିଟି ଆଡ଼େ ମୁହାଁଇଥିଲେ। କିନ୍ତୁ ବସ୍ ପଳାଇଥିବାରୁ ସେମାନେ କାର୍ ଚଳାଇ ଯାଇଥିଲେ।
ସାହିଲ ଦିନ ୯ ଟାବେଳେ କାଶ୍ମୀରୀ ଗେଟ୍ ପାଖରେ ପହଞ୍ଚିଥିଲେ। ବାହାଘର ପାଇଁ ବିଭିନ୍ନ କର୍ମ ପଛକୁ ପଛ ରହିଥିବାରୁ ତାଙ୍କ ମାଆ ତାଙ୍କୁ ଘନଘନ ଫୋନ୍ କରୁଥାନ୍ତି। କାଶ୍ମୀରୀ ଗେଟ୍ ପାଖକୁ ଗାଡ଼ି ଚଳାଇ ଗଲାବେଳେ ନିକିଙ୍କ ସହ ତାଙ୍କର ଝଗଡ଼ା ହେଲା ଏବଂ ସାହିଲ ଫୋନ୍ର ଚାର୍ଜିଂ କେବୁଲରେ ନିକିଙ୍କୁ ତଣ୍ଟିଚିପି ହତ୍ୟା କରିଦେଲା। ତା’ପରେ ପଶ୍ଚିମ ବିହାର ଦେଇ ତା’ ଢାବାକୁ ଫେରିଗଲା। ସେଠାରେ ମଧ୍ୟାହ୍ନ ପାଖାପାଖି ପହଞ୍ଚିଲା। ସେଠାରେ ଫ୍ରିଜ୍ରେ ନିକିଙ୍କ ଶବକୁ ଭର୍ତ୍ତି କରିଦେଇ ଓ ନିକିଙ୍କ ଟ୍ରାଭେଲ ବ୍ୟାଗ୍କୁ ସେଠାରେ ଫୋପାଡ଼ି ବାହାହେବା ପାଇଁ ୬ରୁ ୮ ଘଣ୍ଟା ଭିତରେ ଆସି ନିଜ ଘରେ ପହଞ୍ଚିଲା। ଯେଉଁ କାର୍ରେ ସେ ନିକିଙ୍କୁ ହତ୍ୟା କଲା, ତାହା ଥିଲା ତାଙ୍କ କଜିନ (ସମ୍ପର୍କୀୟ ଭାଇ)ଙ୍କ କାର୍।
ସାହିଲ ନିକିଙ୍କୁ ଫେବ୍ରୁଆରି ୧୦ ମଧ୍ୟରାତ୍ର ପରେ ମାରିଛି ବୋଲି ପ୍ରଥମେ ଦାବି କରିଥିଲେ ମଧ୍ୟ ଜେରାରୁ ଜଣାପଡ଼ିଲା ଯେ ତାଙ୍କୁ ସେହିଦିନ ସକାଳେ ହିଁ ହତ୍ୟା କରିଛି। ଏହି ହତ୍ୟା କେବଳ ନିକିର ପରିବାରକୁ ପ୍ରଭାବିତ କରିନାହିଁ, ବରଂ ଆଉ ଦୁଇଟି ପରିବାରକୁ ନଷ୍ଟ କରିଛି। ଏହାଦ୍ବାରା ସାହିଲର ନିଜ ପରିବାର ପ୍ରଭାବିତ ହୋଇଥିବା ବେଳେ ସେ ନିକିଙ୍କୁ ହତ୍ୟା କଲା ପରେ ଯେଉଁ ଝିଅ ତୃଷା (ଛଦ୍ମନାମ)ଙ୍କୁ ବିବାହ କରିଥିଲା ତାଙ୍କ ପରିବାର ମଧ୍ୟ ପ୍ରଭାବିତ ହୋଇଛି। ସାହିଲ ତା’ ବାପାମାଆଙ୍କର ଏକମାତ୍ର ପୁତ୍ର। ହତ୍ୟା ଅପରାଧରେ ତାକୁ ଯଦି ଫାଶୀ ବା ଆଜୀବନ ଜେଲ ହୋଇଯାଏ ତା’ ପରିବାର ପାଇଁ ଏହାଠାରୁ ବଡ଼ ଦୁଃଖ ଆଉ କ’ଣ ଅଛି? ସେହିପରି ବାହାଘର ପରେ ଚଉଠି ରାତି ନ ଯାଉଣୁ ସ୍ବାମୀ ଜେଲ ଯିବା ଘଟଣା ତୃଷାଙ୍କ ପାଇଁ ବଜ୍ରପାତ ପରି। ବୁଧବାର ନିକିଙ୍କ ବାପା ସୁନୀଲ ଯାଦବ ଓ ସମ୍ପର୍କୀୟମାନେ ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ନିକିଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନେଇଥିଲେ। ହରିୟାଣାର ଝଜାରସ୍ଥିତ ତାଙ୍କ ଗାଁରେ ବୁଧବାର ସନ୍ଧ୍ୟାରେ ଶବଦାହ କରାଯାଇଛି। ହତ୍ୟାକାରୀ ସାହିଲକୁ ମୃତ୍ୟୁଦଣ୍ଡ ଦେବା ପାଇଁ ନିକିଙ୍କ ବାପା ଦାବି କରିଛନ୍ତି।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
						 
			
