Odia News Portal

ନିରଞ୍ଜନଙ୍କୁ ରବିନ୍ଦ୍ରଙ୍କ ଠାଏ …

ଭୁବନେଶ୍ୱର,୩୦ା୧୨ () : ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ମାମଲାର ବିଚାର ଏବେ ଟ୍ରିବୁନାଲରେ ବିଚାରଧୀନ ଅବସ୍ଥାରେ ରହିଛି । ଏହି ସମୟରେ ନୂଆ କରି ଛତିଶଗଡ଼ରେ ସରକାର ଗଢ଼ିଥିବା କଂଗ୍ରେସର ଜଳ ସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଛନ୍ତି ଯେ, ମହାନଦୀ ଉପରେ ଛତିଶଗଡ଼ବାସୀଙ୍କ ପୂର୍ଣ୍ଣ ଅଧିକାର ରହିଛି । ମହାନଦୀର ଉତ୍ପତ୍ତି ସ୍ଥଳ ମଧ୍ୟ ଛତିଶଗଡ଼ର । ଏହି ମାମଲା ଟ୍ରିବୁନାଲରେ ବିଚାରଧୀନ ଥିବାରୁ ସରକାର ତାଙ୍କର ପକ୍ଷର ସେଠାରେ ରଖିବେ ।
କିନ୍ତୁ ମହାନଦୀ ପାଣି କାହାରିକୁ ଦିଆଯିବ ନାହିଁ ବୋଲି    ରବିନ୍ଦ୍ର ଚୌବେ ସିଧାସଳଖ ଭାବେ ଗଣମାଧ୍ୟମରେ ବିବୃତ୍ତି ଦେଇଛନ୍ତି । ଚୌବେଙ୍କ ଏହି ବିବୃତି ରାଜ୍ୟ କଂଗ୍ରେସ ନେତାଙ୍କୁ ଅଡ଼ୁଆରେ ପକାଇଛି । କାରଣ ଛତିଶଗଡ଼ରେ ରମଣ ସିଂ ସରକାର ଥିବା ସମୟରେ ମହାନଦୀ ଜଳ ବିବାଦକୁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଏପରିକି ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବା ପରେ ମହାନଦୀ ଜଳ ବିବାଦର ସମାଧାନ ହୋଇଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ ବିବୃତି ଦେଇଥିଲେ ।
ଏପରିକି ସେ ନିଜେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଓଡ଼ିଶାକୁ ତା’ର ହକ୍ ଦେବେ ବୋଲି କହିଥିଲେ । କିନ୍ତୁ ଏସବୁ ମଧ୍ୟରେ ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେଙ୍କର ଏଭଳି ବୟାନ ମହାନଦୀ ଜଳ ବିବାଦକୁ ପୁଣି ଗୋଳିଆ କରିଛି । ଏଠାରେ ସୂଚନାଯୋଗ୍ୟ ଯେ,ଗତ ୧୫ ତାରିଖରେ ମହାନଦୀ ଟ୍ରିବୁନାଲରେ ଜଳ ବିବାଦ ମାମଲାର ଶୁଣାଣୀ ହୋଇଥିଲା । ୨ ସପ୍ତାହ ମଧ୍ୟରେ ଓଡ଼ିଶାକୁ ସତ୍ୟପାଠ ଜରିଆରେ ୨୦ ବର୍ଷର ମହାନଦୀ ଜଳ ପ୍ରବାହ ନେଇ ବିସ୍ତୁତ ତଥ୍ୟ ମାଗିଛନ୍ତି ଟ୍ରିବୁନାଲ । ଓଡ଼ିଶାର ସତ୍ୟପାଠ ପରେ ପ୍ରତି ଜବାବ ରଖିବ ଛତିଶଗଡ଼ ।
ଅନ୍ୟପକ୍ଷରେ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କର ଏଭଳି ବୟାନ ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଉଭୟ ବିଜେଡି ଓ ବିଜେପି କଂଗ୍ରେସ ଉପରେ ବର୍ଷିଛନ୍ତି ।
ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନେତ୍ରୀ: ଏଥିରୁ ସ୍ପଷ୍ଟ କଂଗ୍ରେସର ଚାଲ୍, ଚରିତ୍ର ଓ ଚେହେରା ଜଣାପଡ଼ିଗଲା । କଂଗ୍ରେସ ସରକାର ଛତିଶଗଡ଼ରେ ଆସିବା ପରେ ଦଳୀୟ ନେତାମାନେ ମହାନଦୀ ବିବାଦର ସମାଧାନ କରିଦେବେ ବୋଲି କହିଥିଲେ । ବିଜେପି କିଛି କରୁନାହିଁ ବୋଲି କଂଗ୍ରେସ ଯେଉଁ ଅଭିଯୋଗ କରିଥିଲା ତାହା ଆଜି ମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଗଲା ।  ଉପା ସରକାର ସମୟରେ ମହାନଦୀ ଜଳ ବିବାଦ ସମସ୍ୟା ଆରମ୍ଭ ହୋଇଥିଲା । ଆଜି କଂଗ୍ରେସ ସରକାର ଛତିଶଗଡ଼ରେ ଆସିବା ପରେ ଏହି ବିବାଦ ପୁଣି ବଢ଼ିଛି । ଭାଜପା ସରକାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଭୟ ରାଜ୍ୟର ନେତୃବର୍ଗମାନେ ବସି ଆଲୋଚନା କରିବା ପାଇଁ ଡକାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଯାଇ ନ ଥିଲେ । ରାଜ୍ୟ ସରକାର ଟ୍ରିବୁନାଲକୁ ଗଲେ । ଟ୍ରିବୁନାଲର ରିପୋର୍ଟ ଆସିବାରେ ବହୁ ବିଳମ୍ବ ହୋଇଥାଏ । ତଥାପି ରାଜ୍ୟ ସରକାର ଜିଦ୍ ଧରି ଟ୍ରିବୁନାଲକୁ ଗଲା । କିଛି ଲାଭ ମିଳିବ ନାହିଁ । ଏତିକି କହିହେବ କି କଂଗ୍ରେସ ମିଛୁଆ ଦଳ ଭାବେ ଜଣାଶୁଣା ।
ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି: ଏନେଇ ମୁଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ଛତିଶଗଡ଼ ସରକାରଙ୍କର ଯେଉଁ ଅଧିକାର ଅଛି ଓ ଆମର ଯେଉଁ ଅଧିକାର ଅଛି ଟେକ୍ନିକାଲି ତାହାର ସମାଧାନ କରାଯିବ । ଏଥିରେ କିଛି ବ୍ୟସ୍ତ ହେବାର ନାହିଁ ବୋଲି ନିରଞ୍ଜନ କହିଛନ୍ତି ।
ଦେବୀପ୍ରସାଦ ମିଶ୍ର, ବିଜେଡି ଉପସଭାପତି:  ମହାନଦୀ ପ୍ରସଙ୍ଗରେ ଆଗରୁ ଓଡ଼ିଶାକୁ ରମଣ ସିଂଙ୍କ ସରକାର ଅଣଦେଖା କରିଆସିଥଲେ । ବାରମ୍ବାର ସମାଧାନର ପ୍ରତିଶ୍ରୁତି ଦେଇ ଓଡ଼ିଶା ସରକାର ତଥା ଜନସାଧାରଣଙ୍କ ସହ ଛକାପଞ୍ଝା କରି ଆସୁଥିଲେ । ବର୍ତ୍ତମାନ ସେମାନଙ୍କ ଭୂମିକାକୁ କଂଗ୍ରେସ ଓହ୍ଲାଇଛି । ଛତିଶଗଡ଼ରେ ଦଳ କ୍ଷମତାକୁ ଆସିଲେ ଅକ୍ଳେଶରେ ମହାନଦୀ ସମସ୍ୟାର ସମାଧାନ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବାରମ୍ବାର କହି ଆସୁଥିଲେ । ମାତ୍ର ବର୍ତ୍ତମାନର ଛତିଶଗଡ଼ର ଜଳମନ୍ତ୍ରୀଙ୍କ ଉକ୍ତି ପ୍ରମାଣିତ କରୁଛି କଂଗ୍ରେସ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି ବିଜେଡ଼ି ଭପସଭାପତି ଦେବୀ ମିଶ୍ର ଅଭିଯୋଗରେ କହିଛନ୍ତି ।
ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ଏକଚାଟିଆ ଅଧିକାର ଘୋଷଣା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ୧୯୪୭ ମସିହାରେ ହୀରାକୁଦ ଜାତୀୟ ପ୍ରକଳ୍ପ ପ୍ରତିଷ୍ଠା ହେବା ସମୟରେ ତକ୍ରାଳୀନ ସିଡବ୍ଲ୍ୟୁଆଇଏନ୍ସି ଅଧ୍ୟକ୍ଷ ଡା.ଏନ୍ ଖୋସଲା ଏକ ଡିପିଆର୍ ପ୍ରସ୍ତୁତ କରିଥିଲେ । ଡିପିଆର୍ର ଚୁକ୍ତିନାମା ଅନୁଯାୟୀ ସେଥିରେ ମହାନଦୀର ଜଳର ୬୦ ପ୍ରତିଶତ ଏବଂ ଛତିଶଗଡ଼ ୪୦ ପ୍ରତିଶତଽ୍ୟବହାର କରିବା ନେଇ ବ୍ୟବସ୍ଥା କରାଯାଇଥିଲା । ମାତ୍ର ବର୍ତ୍ତମାନ କେଉଁ ଆଧାରରେ ଛତିଶଗଡ଼ ଜଳମନ୍ତ୍ରୀ ଏକଥା କହୁଛନ୍ତି ବୋଲି ଦେବୀ ପ୍ରଶ୍ନ କରିଛନ୍ତି । ମହାନଦୀ ପାଇଁ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମାତ୍ର ଆଞ୍ଚଳିକ ଦଳ ଭାବରେ ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜେଡ଼ି ନିଜର ଉଦ୍ୟମ ଜାରି ରଖିଛି ଏବଂ ଏଥିରେ ନିଶ୍ଚୟ ସଫଳ ହେବ ବୋଲି ଦେବୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।