Odia News Portal

ନବୀନ ନୁହେଁ, ମୁଁ ନେତା !

ଭୁବନେଶ୍ବର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାଇନସ୍ କରି ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ଅଶୋକ ପଣ୍ଡା ନିଜର ସମାନ୍ତରାଳ ସରକାର ଚଳାଇଛନ୍ତି । ଏହି ବିଧାନସଭା କ୍ଷେତ୍ରରେ ତାଙ୍କ ବିନା ପତ୍ର ଉଡୁନାହିଁ, ଦଳୀୟ ହେଉ କି ସରକାରୀ । ଦଳୀୟ କାର୍ଯ୍ୟକ୍ରମରେ ବି ସେ ନବୀନଙ୍କୁ ଅଣଦେଖା କରି ନିଜସ୍ବ ପ୍ରଚାର ପ୍ରସାର କରାଉଛନ୍ତି । ପୂର୍ବରୁ ଏନେଇ ସବୁବେଳେ ଚର୍ଚ୍ଚା ହେଉଥିଲେ ବି ଆଜି ତାର ଏକ ଜ୍ବଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ।

ଟଙ୍କପାଣି ରୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ପାଇଁ ଏକ ସ୍ବାଗତ ଗେଟ ପ୍ରସ୍ତୁତ କରାଯାଇଛି । ଏହି ଗେଟଟି 58 ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ପୁଷ୍ପା ଦାସଙ୍କ ସୌଜନ୍ୟରେ ଲଗାଯାଇଛି । ରାଜ୍ୟର ସବୁ ଅଂଚଳରେ ବିଜେଡି କର୍ମାମାନେ ନୂଆ ବର୍ଷରୁ ଦିପାବଳୀ ଯାଏଁ ଶୁଭେଚ୍ଛା କି ଅଭିନନ୍ଦନର ବ୍ୟାନର ପୋଷ୍ଟାର ଯାହା ବି ଲଗାଉଛନ୍ତି ସେଠାରେ ନବୀନ ପଟ୍ଟନାୟକଙ୍କ ଫଟୋ ରହୁଛି । କାରଣ ଦଳର ସବୁ ନେତା ଓ କର୍ମୀ ନବୀନଙ୍କ ପ୍ରତିନିଧି ଭାବେ ନିଜ ନିଜ ଅଂଚଳକୁ ପ୍ରତିନିଧିତ୍ବ କରୁଛନ୍ତି । ହେଲେ ପୁଷ୍ପା ଦାସଙ୍କ ଏହି ସ୍ବାଗତ ଗେଟ ଏବେ ବିଜେଡି ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଟଲଟିଛି ।

ଏହି ଗେଟର ଗୋଟେ ପଟେ ପୁଷ୍ପା ଦାସଙ୍କ ଫୁଲ ଫ୍ରେମ ଫଟୋ ରହିଥିବା ବେଳେ ଆଉ ଗୋଟେ ପଟେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଫୁଲ ଫ୍ରେମ ଫଟୋ । ମଝିରେ ପୁଷ୍ପାଙ୍କ ପୁଅ ତଥା ଏକାମ୍ର ଭୁବନେଶ୍ବର ବିଜୁ ଯୁବ ଜନତା ଦଳ ସଭାପତି ଦିଲନ ଦାସଙ୍କ ଫଟୋ । ଦିଲନଙ୍କୁ ପୁଷ୍ପା ଓ ଅଶୋକ ଉଭୟ ଆସନ୍ତା ମହାନଗର ନିର୍ବାଚନ ପାଇଁ ପ୍ରୋଜେକ୍ଟ କରୁଥିବା ଚର୍ଚ୍ଚା ହେଉଛି ।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ଗେଟରେ ନବୀନ ପଟ୍ଟନାୟକଙ୍କ ନାଁ କି ଛୋଟ ଫଟୋଟିଏ ବି ନାହିଁ । ବିଜେଡି ସଙ୍କେତ ଭାବେ ସବୁଜ ରଙ୍ଗର ବ୍ୟବହାର କରାଯାଇଛି । କିନ୍ତୁ ଶଙ୍ଖ ଚିହ୍ନ ନାହିଁ । ଏହି ଗେଟକୁ ଦେଖିଲେ ଲାଗୁଛି ସତେକି ଏକମ୍ର ଭୁବନେଶ୍ବର କ୍ଷେତ୍ରର ଏକଛତ୍ରବାଦୀ ଶାସକ ହେଉଛନ୍ତି ଏକମାତ୍ର  ଅଶୋକ ପଣ୍ଡା । ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ବିଜେଡି ସଂଗଠନରେ ଅଶୋକଙ୍କ ବିନା ଅନୁମତିରେ କିଛି ବି ହେଉନି । ତେଣୁ ଏଭଳି ଗେଟ ଲଗାଯିବା ପୂର୍ବରୁ ପୁଷ୍ପା ନିଶ୍ଚିତ ଭାବେ ଅଶୋକଙ୍କ ଅନୁମତି ଆଣିଥିବେ ।

କିଛି ବିଜେଡି ନେତା କହୁଛନ୍ତି ଏକାମ୍ର ଭୁବନେଶ୍ବରରେ ପ୍ୟାରୀ ମହାପାତ୍ର ଏପିସୋଡର ପୁନରାବୃତ୍ତି ହେବାକୁ ଯାଉଛି । ସେ ସମୟରେ କିଛି ବିଜେଡି ବିଧାୟକ ଓ କର୍ପୋରେଟର ସେମାନଙ୍କ ବ୍ୟାନର ଓ ପୋଷ୍ଟରରେ ଏହିଭଳି ନବୀନଙ୍କୁ ମାଇନସ କରି କିମ୍ବା ସଙ୍କିର୍ଣ୍ଣ କରି ପ୍ୟାରୀ ମହାପାତ୍ରଙ୍କ ବଡ ବଡ ଫଟୋ ଲଗାଉଥିଲେ । ଏବେ ଏକାମ୍ର ଭୁବନେଶ୍ବରର କର୍ପୋରେଟର ମାନେ ମଧ୍ୟ ନବୀନଙ୍କୁ ମାଇନସ କରି ଆଶୋକଙ୍କ ବଡ ବଡ ଫଟୋ ଲଗାଇ ନିଜକକୁ ନବୀନଙ୍କର ନୁହେଁ, ବରଂ ଅଶୋକଙ୍କ ପ୍ରତିନିଧି ଭାବେ ପ୍ରଦର୍ଶିତ କରୁଛନ୍ତି ।