Odia News Portal

ନୂପୁର ଶର୍ମା ମାମଲା: ନାଭିକା କୁମାରଙ୍କୁ ବଡ଼ ଆଶ୍ବସ୍ତି ଦେଲେ ସୁପ୍ରିମକୋର୍ଟ

ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଟାଇମ୍ସ ନାଓ ଆଙ୍କର୍ ନାଭିକା କୁମାରଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

କିଛି ମାସ ତଳେ ନାଭିକା କୁମାରଙ୍କ ଟିଭି ଶୋ’ରେ ପୂର୍ବତନ ବିଜେପି ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଥିଲା ।

ଏହି ମାମଲାରେ ନାଭିକା କୁମାରଙ୍କ ବିରୋଧରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ କେସ୍ ରୁଜୁ ହୋଇଥିଲା ।
ତାଙ୍କ ବିରୋଧରେ ସବୁ ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନାଭିକା କୁମାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିଛନ୍ତି। ଆସନ୍ତା ଆଠ ସପ୍ତାହ ପର୍ଯ୍ୟନ୍ତ ନାଭିକା କୁମାରଙ୍କ ବିରୋଧରେ ସାନି ମାମଲା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି ।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଏକ ବେଞ୍ଚ ତାଙ୍କ ରାୟରେ କହିଛନ୍ତି ଯେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମୁଖ୍ୟ ମାମଲା ବନ୍ଦ କରିବାକୁ ନାଭିକା କୁମାର ହାଇକୋର୍ଟ ଯାଇପାରିବେ।

ସୁପ୍ରିମକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ନାଭିକା କୁମାରଙ୍କ ବିରୋଧରେ ରୁଜୁ ମାମଲା ଏକାଠି କରାଯିବ ଏବଂ ଦିଲ୍ଲୀ ପୋଲିସର ଆଇଏଫଏସସି ଦଳ ଦ୍ୱାରା ତଦନ୍ତ କରାଯିବ। ଏହାଛଡ଼ା ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାକୁ ହିଁ ମୁଖ୍ୟ ମାମଲା ଭାବେ ବିବେଚନା କରାଯିବା ଉଚିତ୍ |

ନୂପୁର ଶର୍ମା ମାମଲାରେ ଦିଆଯାଇଥିବା ରାୟ ଆଧାରରେ ସୁପ୍ରିମକୋର୍ଟ ନାଭିକା କୁମାରଙ୍କ ମାମଲାରେ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।