Odia News Portal

ଜିରୋ ଇନଫେକସନ ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, କରୋନାକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥିତିରେ ଅଛି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଏବଂ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । କରୋନାକୁ ନିୟନ୍ତ୍ରିତ କରିବାରେ ରାଜ୍ୟ ସଫଳ ହୋଇଛି କିନ୍ତୁ ଆହୁରି ସତର୍କର ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଜିରୋ ଇନଫେକସନ ଆମର ଲକ୍ଷ୍ୟ । କିନ୍ତୁ ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ । କାରଣ ବିପଦ ଏବେ ବି ଟଳିନାହିଁ ।

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ଆଜି ସ୍ଥିତି ବିଗିଡିବାରେ ଲାଗିଛି । ମହାରାଷ୍ଟ୍ରରେ କେତେକ ଅଞ୍ଚଳରେ ଲକଡାଉନ ଏବେ ପୁଣି ଫେରିଛି । ଲକଡାଉନ ସମୟର କଷ୍ଟ ଏବେ ବି ଆମ ସ୍ମୃତିରେ ତାଜା ହୋଇ ରହିଛି । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ ଏବଂ ପିଲାମାନଙ୍କ ପାଠପଢା ଆଦି ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ତେବେ ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ଆମ ରାଜ୍ୟ ଏବେ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ଆମେ କେହି ଲକଡାଉନକୁ ଫେରିବାକୁ ଚାହୁଁନାହୁଁ । ଲକଡାଉନକୁ ନଫେରିବାର ଏକମାତ୍ର ବାଟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକଡାଉନ ଭଳି ସ୍ଥିତି ଉପୁଜିବ ନାହିଁ ।ବାହାରକୁ ଗଲେ ମାସ୍କ୍‍ ନିଶ୍ଚୟ ପିନ୍ଧିବା, ବେକରେ ଝୁଲାଇକରି ନୁହେଁ, ଠିକ୍‍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଘରକୁ ଫେରିଲେ ସାବୁନ୍‍ରେ ଭଲକରି ହାତ ଧୋଇବା ଏବଂ ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବାକୁ ବାରଣ କରିଛନ୍ତି ।

ବର୍ତ୍ତମାନ କରୋନା ପାଇଁ ଟିକାକରଣ ଆମ ରାଜ୍ୟରେ ସଫଳ ଭାବେ ଚାଲିଛି । ଏ ଦିଗରେ ସହଯୋଗ କାମନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ବିରୁଦ୍ଧରେ ଆମର ଲଢ଼େଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ । ସତର୍କ ରହିବା ହିଁ ସହିଦ୍‍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ିଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ଓ ପୋଲିସ୍‍ କୁ ନିର୍ଦ୍ଦେଶ ଦେଇଥିବା ସ୍ପଷ୍ଟ କରିଛନ୍ତି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ । ତାଙ୍କ ଅନୁରୋଧକୁ ରାଜ୍ୟବାସୀ ରକ୍ଷା କରିବେ ବୋଲି ପୂର୍ଣ୍ଣ ଭରସା ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ସମସ୍ତେ ମିଶି ଶୂନ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।