Odia News Portal

ପୋଷ୍ୟ ସ୍କୁଲ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନରେ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଅପିଲ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ସମେତ ହାଇକୋର୍ଟର ବିଚାରପତି ଏବଂ ରାଜ୍ୟର ସବୁ ବିଧାୟକ ଏବଂ ସାଂସଦ ମାନଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସର୍ବାଧିକ ୩ଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଦେଇଛନ୍ତି । ଆମେ ପଢ଼ିଥିବା ସ୍କୁଲ ସହ ଭାବାବେଗ ସମ୍ପର୍କ ରହିଥାଏ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ କହିଛନ୍ତି ଯେ ଆପଣମାନେ ନିଜ ନିଜର ଦକ୍ଷତା ଓ ପ୍ରତିଭା ଦ୍ୱାରା ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏଥିରେ ଆପଣ ପାଠ ପଢିଥିବା ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ବିଦ୍ୟାଳୟ ଆମକୁ ବହୁତ କିଛି ଦେଇଛି, ଆମକୁ ଗଢିଛି । ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମ ଭିତରେ ସାମର୍ଥ୍ୟ ସୃଷ୍ଟି କରିଛି । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଛି । ସମାଜ ପ୍ରତି ଉତ୍ତରଦାୟିତ୍ୱକୁ ଠିକ୍‌ ଭାବରେ ନିର୍ବାହ କରିବା ପାଇଁ ମାର୍ଗ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି |

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ମୋ ସ୍କୁଲ କାର୍ଯ୍ୟକ୍ରମ ଆପଣଙ୍କର ପ୍ରିୟ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ସୁଯୋଗ ସୃଷ୍ଟି କରିଛି । ଉଦାର ହୃଦୟରେ ଆପଣ ଆପଣଙ୍କ ପ୍ରିୟ ବିଦ୍ୟାଳୟର ରୂପାନ୍ତର ପାଇଁ ସୁଯୋଗ ସୃଷ୍ଟି କରିପାରିବେ ବୋଲି ଉଲ୍ଲେଖ କରି ନିଜ ନିଜର ପ୍ରିୟ ବିଦ୍ୟାଳୟ ଗୁଡିକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସ୍କୁଲ ଆମକୁ ବହୁତ କିଛି ଦେଇଛି। ତାର ପ୍ରତିଦାନ ଦେବା ପାଇଁ ଆଜି ସମୟ ଆସିଛି। ସମାଜର ନେତୃବର୍ଗଙ୍କର ଏହି ସାଧୁ ଉଦ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ହେବା ସହିତ ଆପଣମାନଙ୍କ ପାଇଁ ଏକ ଅନନ୍ୟ ପରିଚୟ ଓ ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବ ବୋଲି ଉଲ୍ଲେଖ କରି ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟର ଶୈକ୍ଷିକ ପରିବେଶରେ ଆରମ୍ଭ ହୋଇଥିବା ରୂପାନ୍ତରରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।