Odia News Portal

କଲେଜରେ ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ଭୁବନେଶ୍ୱର : କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ସ୍କୁଲ ଓ କଲେଜ | ତେବେ କଲେଜରେ କୋଭିଡ଼ ନିୟମ ପାଳନର ଅନୁଧ୍ୟାନ ନିମନ୍ତେ ବିଜେବି କଲେଜକୁ ପହଞ୍ଚିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କଲେଜରେ କୋଭିଡ଼ ନିୟମ ସଠିକ ଭାବେ ପାଳନ କରାଯାଉଛି କି ନାହିଁ ସେ ନେଇ ଟିକିନିଖି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ । ତେବେ କୋଭିଡ୍‌ କଟକଣା ମଧ୍ୟରେ ଶୁକ୍ରବାରଠାରୁ ସ୍କୁଲ ଖୋଲିସାରିଛି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଆସିଛନ୍ତି । ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ୍ କରିବା ଦେଖିବାକୁ ମିଳିଛି । ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ୧୦୦ ଦିନର ପାଠପଢ଼ା ହେବ । ଅନ୍ୟପକ୍ଷରେ, ରାଜଧାନୀରେ ଥିବା କେତେକ ଘରୋଇ ସ୍କୁଲ ଆଜି ଖୋଲି ନାହିଁ । ପ୍ରାୟ ସ୍କୁଲ ଆସନ୍ତା ୧୧ ତାରିଖରୁ ଖୋଲିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ସେହିଭଳି ଗୁରୁବାର ରାଜଧାନୀରେ ଥିବା ଲକ୍ଷ୍ମୀସାଗର ହାଇସ୍କୁଲ, ୟୁନିଟ୍‌-୯ ବାଳକ ହାଇସ୍କୁଲ ଓ ୟୁନିଟ୍‌-୯ ବାଳିକା ହାଇସ୍କୁଲ ଯାଇ ସ୍ଥିତି ପରଖିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ସ୍କୁଲ କ୍ୟାମ୍ପସ୍‌ ପରିଷ୍କାର ଓ ସାନିଟାଇଜ୍‌ ହୋଇଛି କି ନାହିଁ ଦେଖିଥିଲେ । ଆଜି ବିଜେବି କଲେଜକୁ ଆସି ଅନୁଧ୍ୟାନ କରିବା ସହ କଲେଜରେ କୋଭିଡ଼ ନିୟମ ପାଳନର ଅନୁଧ୍ୟାନ କରିଛନ୍ତି।