Odia News Portal

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର : ସରକାରୀ ସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ କ୍ୟାବିନେଟର ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି । ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ନିମନ୍ତେ ଏହି କମିଟି ଆବଶ୍ୟକୀୟ ପରାମର୍ଶ ଦେବ।

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ମିଶ୍ର ଏହି କମିଟିର ଅଧ୍ୟକ୍ଷ ରହିବେ । ସେ ପୂର୍ବରୁ ଓଡ଼ିଶା ଜୁଡିସିଆଲ ଆକାଡେମିର ନିର୍ଦ୍ଦେଶକ, ସିବିଆଇ ସ୍ପେଶାଲ ଜଜ୍ ଓ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନରାଲ ଭାବେ କାର୍ଯ୍ୟ କରିଛନ୍ତି । ସେହିଭଳି କମିଟିର ଅନ୍ୟ ସଦସ୍ୟ ମାନେ ହେଉଛନ୍ତି ପ୍ରଫେସର ଅଶୋକ କୁମାର ଦାସ, ପ୍ରଫେସର ସିବିକେ ମହାନ୍ତି, ବିଏସ ପୁନିଆ, ଜି.ରଘୁ ଏବଂ ଏ.କେ ନାୟକ । ପ୍ରଫେସର ଅଶୋକ ଦାସ ଉତ୍କଳ ବିଶ୍ୱବିଦ୍ୟାଳର ପୂର୍ବତନ ଉପକୁଳପତି ହୋଇଥିବା ବେଳେ ସି.ବି.କେ ମହାନ୍ତି ଡାକ୍ତରି ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ଅଛନ୍ତି । ସେହିଭଳି ବି.ଏସ ପୁନିଆ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ଅଧ୍ୟକ୍ଷ ଅଛନ୍ତି । ଅନ୍ୟପକ୍ଷରେ ଜି. ରଘୁ ଓଡ଼ିଶା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ଅଛନ୍ତି ।