Odia News Portal

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ବର: ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ହାଇକୋର୍ଟରେ ଏନେଇ ଆପତ୍ତି କରିଥିଲେ ଅଭିଭାବକ । ସୂଚନା ଅନୁସାରେ ୨୦ରୁ କମ୍ ପିଲା ଥିବା ସ୍କୁଲ ନିକଟ ବିଦ୍ୟାଳୟ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର । ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲା ଗୁଡିକର ଏକତ୍ର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି । ସ୍କୁଲ ମିଶ୍ରଣ ସଂପର୍କିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିରୋଧ ପ୍ରକାଶ ପାଇଥିଲା । ଏହାପରେ ସ୍କୁଲ ମିଶ୍ରଣ ନିୟମକୁ ସରକାର କିଛିଟା ପରିବର୍ତ୍ତନ କରିଥିଲେ। କେବିକେ ଅଞ୍ଚଳରେ ଗୋଟିଏ ସ୍କୁଲରେ ୧୫ରୁ କମ୍ ଛାତ୍ରଛାତ୍ରୀ ଥିଲେ ସ୍କୁଲ ମିଶ୍ରଣ ହେବ।  ସିଡ୍ୟୁଲ ଅଞ୍ଚଳରେ ଏହି ନିୟମ ପରିବର୍ତ୍ତନ ହେବ ନାହିଁ। ସେହିପରି ନନ୍‌ ସିଡ୍ୟୁଲ ଅଞ୍ଚଳରେ ସ୍କୁଲରେ ୨୦ରୁ କମ ପିଲା ଥିଲେ, ସ୍କୁଲ ମିଶ୍ରଣ କରାଯିବ ବୋଲି ସରକାର କହିଥିଲେ। ଏ ନେଇ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଚୀକରଣ ଦେଇଥିଲେ । ତେବେ ବିଜ୍ଞପ୍ତି ନେଇ ମାମଲା କୋର୍ଟରେ ପହଁଚିଥିଲା । କୋର୍ଟ ଏହା ଉପରେ ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି ।