Odia News Portal

ହାଇକୋର୍ଟର ନିର୍ଦ୍ଦେଶ ପରେ ବି ଶିଶୁଭବନରେ ଲାଗୁନାହିଁ ସେଣ୍ଟ୍ରାଲ୍ ଏସି

୨୦୧୬ରେ ହସ୍‌ପିଟାଲ୍‌ରେ ସ୍ପ୍ଲିଟ୍‌ ଏସି ବଦଳରେ ସେଣ୍ଟ୍ରାଲ୍‌ ଏସି ବ୍ୟବହାର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେଣ୍ଟ୍ରାଲ୍‌ ଏସିରେ ସମସ୍ତ ମେସିନ୍‌ କୋଠା ବାହାରେ ଲାଗିଥାଏ। ସେଥିପାଇଁ ସେଣ୍ଟ୍ରାଲ୍‌ ଏସିରେ ସର୍ଟ ସର୍କିଟ୍‌ ହେବାର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ। ଏଭଳି ନିର୍ଦ୍ଦେଶନାମାକୁ କିନ୍ତୁ ଶିଶୁଭବନ କର୍ତ୍ତୃପକ୍ଷ ଖିଲାପ କରି ଚାଲିଛନ୍ତି। ଶିଶୁଭବନରେ ଏବେ ବି ସ୍ପ୍ଲିଟ୍ ଏସି ବ୍ୟବସ୍ଥା ଜାରି ରହିଛି। ପୂର୍ବରୁ ଶିଶୁଭବନରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଆସିଥିବା ବେଳେ ଶିଶୁଭବନ କର୍ତ୍ତୃପକ୍ଷ କିନ୍ତୁ ଏଭଳି କଟକଣାକୁ ଗୁରୁତ୍ବ ଦେଇ ନାହାନ୍ତି। ଅଗ୍ନି ନିରାପତ୍ତାରେ ଶିଶୁଭବନର ଦୁର୍ବଳ ଚିତ୍ର ଏଥିରୁ ଧରା ପଡ଼ିଛି। ଶିଶୁଭବନର ଜାପାନ କୋଠାର ପ୍ରଥମର ମହଲାରେ ଥିବା ନିକୁ ଓ ପିକୁ(୨୧ ବେଡ୍‌), ଏସିଆରସି ନ୍ୟୁ ବର୍ଣ୍ଣ(୨୫ ବେଡ୍), ଏସିଆରସି ଜେନେରାଲ୍(୩୧ ବେଡ୍‌), ଏସିଆରସି ଆଇସିୟୁ(୨୨ ବେଡ)ରେ ଥିବା ମୋଟ ୯୯ ବେଡ୍ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ନ୍ୟୁ ମେଡିକାଲ୍ କୋଠାରେ ଖୋଲିଥିବା ୨୦ ବେଡ୍ ବିଶିଷ୍ଟ ଏସଏନସିୟୁରେ ସ୍ପ୍ଲିଟ୍ ଏସି ଲାଗିଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଜାପାନ କୋଠା ନିର୍ମାଣ ପରେ ଜାପାନ ସରକାରଙ୍କ ପକ୍ଷରୁ ଜାପାନ କୋଠାରେ ସେଣ୍ଟ୍ରାଲ୍ ଏସି ଲଗାଇବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ବିଦ୍ୟୁତ ବିଲ୍ ଅଧିକ ହେବା ଭୟରେ ହସପିଟାଲ୍ କର୍ତ୍ତୃପକ୍ଷ ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। କେବଳ ଏସି ପ୍ରସଂଗ ନୁହେଁ, ଅଗ୍ନିଶମ ବିଭାଗର କଟକଣା ଅନୁଯାୟୀ, ଯଦି ହସ୍‌ପିଟାଲ୍‌ରେ ୫୦୦ ବର୍ଗ ମିଟର‌୍‌ ଚଟାଣ ଥାଏ ତେବେ ଦୁଇଟି ସିଢ଼ି ରଖାଯିବା ଉଚିତ। ପ୍ରତି ସିଢ଼ିର ଓସାର ୭ ଫୁଟ୍‌ ରହିବ। ଗୋଟିଏ ସିଢ଼ିରେ ରୋଗୀ ଉପରକୁ ଚଢିବେ, ଅନ୍ୟଟିରେ ଓହ୍ଲାଇବେ।

ତଳ ମହଲାରୁ ଉପର ମହଲା ପର୍ଯ୍ୟନ୍ତ ରାମ୍ପ୍ ବ୍ୟବସ୍ଥା ରହିବ। ଏହାର ଓସାର ଅତି କମ୍‌ରେ ୨ ମିଟର‌୍‌ ରଖାଯିବ। ଫଳରେ ଅଗ୍ନିକାଣ୍ତ ଘଟିଲେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର‌୍‌ରେ ଅଳ୍ପ ସମୟ ଭିତରେ ସୁବିଧାରେ ବାହାରକୁ ଅଣାଯାଇପାରିବ। ୨୪ ଘଣ୍ଟିଆ ଫାୟାର ଫାଇଟି˚ ୟୁନିଟ୍‌ ହସ୍‌ପିଟାଲ୍‌ କ୍ୟାମ୍ପସରେ କାର୍ଯ୍ୟକ୍ଷମ କରିବ। ଏଥିରେ ଅତି କମ୍‌ରେ ୧୦ ଜଣ କର୍ମଚାରୀ ବିଭିନ୍ନ ବିଭାଗର ନିୟୋଜିତ ହେବେ। ଟିମ୍‌ର ମୁଖ୍ୟ ଭାବେ ଫାୟାର ଅଫିସର ରହିବେ। ତାଙ୍କ ଅଧୀନରେ ଜଣେ ଡାକ୍ତର, ସୁରକ୍ଷାକର୍ମୀ, ଅଗ୍ନିଶମ କର୍ମଚାରୀ, ହସ୍‌ପିଟାଲ୍‌ର ଅଧିକାରୀ ପ୍ରମୁଖ ସାମିଲ ହେବେ। ଉକ୍ତ ଟିମ୍‌ ଜରୁରୀ ପରିସ୍ଥିତିରେ ଏକ୍ସଟିଙ୍ଗୁଇସର‌୍‌, ବ୍ରିଦି˚ ଆପାରେଟସ, ଫାୟାର ରେଜିଷ୍ଟାନ୍ସ ସୁଟ୍‌ସ, ସ୍ମୋକ୍‌ ଏକ୍‌ଜଷ୍ଟର, ଫାୟାର ହାଇଡ୍ରାଣ୍ଟ, ହୋସ୍‌ ରିଲ୍‌ ଇଦ୍ୟାଦି ବ୍ୟବହାର କରିବେ। ଏହାକୁ ବି ଶିଶୁଭବନରେ ଅଣଦେଖା କରାଯାଇଛି। ଅଗ୍ନି ନିରୋଧକ କବାଟ ଏବ˚ ଝରକା ହସ୍‌ପିଟାଲ୍‌ର ବିଭିନ୍ନ ଵାର୍ଡରେ ଲଗାଇବା ଜରୁରୀ। ଫଳରେ ନିଆଁ ଗୋଟିଏ ଵାର୍ଡରୁ ଅନ୍ୟ ଵାର୍ଡକୁ ସହଜରେ ବ୍ୟାପି ପାରିବ ନାହିଁ। ପ୍ରାୟ ୨ ଘଣ୍ଟା କାଳ ଗୋଟିଏ କୋଠରୀରେ ନିଆଁକୁ କବାଟ ଓ ଝରକା ବନ୍ଦ କରାଯାଇ ଆୟତ କରାଯାଇ ପାରିବ। ଏହାକୁ ବି ଶିଶୁଭବନ କର୍ତ୍ତୃପକ୍ଷ ଅଣଦେଖା କରିଛନ୍ତି। ଶିଶୁଭବନରେ ଅଗ୍ନିକାଣ୍ଡର ରେକର୍ଡ ଯଦି ଦେଖାଯାଏ ତେବେ ୨୦୧୫ ନଭେମ୍ବର ୨୯ରେ ଜାପାନ କୋଠାରେ ୨୨ ବେଡ୍‌ ବିଶିଷ୍ଟ ନ୍ୟୁବର୍ଣ୍ଣ ଵାର୍ଡ ଜଳିଯାଇଥିଲା। ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ୨୦୧୫ ଡିସେମ୍ବର ୨୯ ରେ ନ୍ୟୁ ବର୍ଣ୍ଣ ଆଇସିୟୁରେ ନିଆଁ ଲାଗିଥିଲା। ୨୦୨୧ ମାର୍ଚ୍ଚ ୧୩ ତାରିଖରେ ନ୍ୟୁ ମେଡିକାଲର ଏସଏନସିୟୁରେ ନିଆଁ ଲାଗିଥିଲା। ୧୭ ଚିକିତ୍ସାଧୀନ ଶିଶୁ ଅଳ୍ପକେ ବର୍ତ୍ତିଯାଇଥିଲେ।