Odia News Portal

ଓଡ଼ିଶା ପୁଲିସ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ ଓ ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁଲିସ ଖେଳାଳୀଙ୍କୁ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ନିଜ ବକ୍ତବ୍ୟରେ କହିଥିଲେ,  କ୍ରୀଡ଼ାବିତ୍‌ଙ୍କ ଏହି ସଫଳତା ରାଜ୍ୟ ଓ ଓଡ଼ିଶା ପୁଲିସ ପାଇଁ ଗୌରବର ବିଷୟ। ସେମାନଙ୍କ ଏହି ସଫଳତା ଓଡ଼ିଶାର ଯୁବ ପିଢ଼ିକୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ସେ କହିଥିଲେ।ଉଲ୍ଲେଖନୀୟ ଯେ, ନିକଟରେ ଆୟୋଜିତ ସର୍ବଭାରତୀୟ ପୁଲିସ ଓ ବରିଷ୍ଠ ଜାତୀୟ ଚାମ୍ପିଅନ୍‌ସିପ୍‌–୨୦୨୬ରେ ଓଡ଼ିଶା ପୁଲିସର କ୍ରୀଡ଼ାବିତମାନେ ଏକାଧିକ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି।  ରୋଇଂ ପ୍ରତିଯୋଗିତାରେ ରିତୁ କାଉଡ଼ି ଓ ସୋନାଲିକା ଦାସ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ। ସେହିପରି କ୍ୟାନୋଇଂ, କାୟାକିଂ, କରାଟେ ଏବଂ ଆଥଲେଟିକ୍ସ ମଧ୍ୟରେ ମଧ୍ୟ ଖେଳାଳୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।ଅନ୍ୟପକ୍ଷରେ, କଟକରେ ଆୟୋଜିତ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଅନ୍‌ସିପ୍‌ ୨୦୨୫–୨୬ରେ ଓଡ଼ିଶା ପୁଲିସର ୭ ଜଣ ଖେଳାଳୀ୧୧ଟି ବିଭିନ୍ନ ବିଭାଗରେ ନୂତନ ‘ମିଟ୍ ରେକର୍ଡ’ ସୃଷ୍ଟି କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ବିଘ୍ନରାଜ ମିରିଡ଼ିଆ, ଅଶୋକ ଦାଣ୍ଡସେନା, ସୁସ୍ମିତା ତିଗା ଓ ସବିତା ଟପ୍ପୋଙ୍କ ଭଳି ଖେଳାଳୀମାନେ ନିଜ ନିଜ ବର୍ଗରେ ଅସାଧାରଣ ପ୍ରଦର୍ଶନ କରି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।