ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଗୌରବମୟ ସଫଳତା ହାସଲ କରିଛି। ‘ଅଟଳ ମିସନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ’ (ଅମୃତ) ୨.୦ ର ସଫଳ କାର୍ଯ୍ୟକାରିତାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି।
୨୦୨୧ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ମିଶନ ମାଧ୍ୟମରେ ରାଜ୍ୟର ୮୯ଟି ପୌରସଂସ୍ଥାରେ ବ୍ୟାପକ ପ୍ରଗତି ପରିଲକ୍ଷିତ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦୩୦.୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୩୪୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିମଧ୍ୟରୁ ୯୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅନ୍ୟଗୁଡ଼ିକର ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ ଜାରିରହିଛି। ଆର୍ଥିକ ପରିଚାଳନା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦୃଢ଼ ପ୍ରଦର୍ଶନ କରିବା ସହ ଅନୁଦାନ ଅର୍ଥର ସଠିକ ବିନିଯୋଗ କରିବାରେ ସଫଳ ହୋଇଛି।
ଅମୃତ ୨.୦ ଜରିଆରେ ରାଜ୍ୟର ଜଳ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ସାତୋଟି ଜଳ ବିଶୋଧନ ପ୍ଲାଣ୍ଟ ମାଧ୍ୟମରେ ଦୈନିକ ୪୩ ଏମଏଲଡି ଜଳ ବିଶୋଧନ କ୍ଷମତା ସୃଷ୍ଟି କରାଯାଇଛି, ଯାହାଦ୍ୱାରା ପ୍ରାୟ ୨.୮୩ ଲକ୍ଷ ନାଗରିକ ଉପକୃତ ହୋଇଛନ୍ତି। ପ୍ରମୁଖ ସହରଗୁଡ଼ିକରେ ୨୪x୭ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ ହେବା ସହ ୨.୭ ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ଯୋଗେ ଜଳ ସଂଯୋଗ ପ୍ରଦାନ କରାଯାଇଛି। ମୋଟାମୋଟି ଭାବେ ୫ ଲକ୍ଷରୁ ଅଧିକ ସହରବାସୀ ଏହି ସେବା ଦ୍ୱାରା ସିଧାସଳଖ ଉପକୃତ ହୋଇଛନ୍ତି।
ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ‘ଅମୃତ ୨.୦’ ର ଶୀର୍ଷ ମାନ୍ୟତା ସହରାଞ୍ଚଳ ଭିତ୍ତିଭୂମି ଏବଂ ଜଳ ଯୋଗାଣ କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଉଛି। ପ୍ରତିଟି ପରିବାରକୁ ନିରାପଦ ଜଳ ଯୋଗାଇବା ଏବଂ ସହରଗୁଡ଼ିକୁ ସକ୍ଷମ କରିବା ପ୍ରାଥମିକତା ବିକଶିତ ଓଡ଼ିଶା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Sign in
Sign in
Recover your password.
A password will be e-mailed to you.
