Odia News Portal

୧୫ ବର୍ଷର ପୁରୁଣା ଗାଡ଼ି ଉପରେ ଟିକସ ଓ ଫାଇନ ଛାଡ଼ କଲେ ସରକାର

କେନ୍ଦ୍ର ସରକାରଙ୍କର ଯୋଜନା ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଂ ପଲିସିରେ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ସରକାରୀ ପୁରୁଣାଗାଡ଼ିଗୁଡ଼ିକୁ ମାର୍ଚ୍ଚ ୩୧ ସୁଧା ହଟାଇ ନିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ବେସରକାରୀ ୧୫ ବର୍ଷରୁ ପୁରୁଣାଗାଡ଼ିକୁ ହଟାଇବାକୁ କୌଣସି ବାଧ୍ୟତାମୂଳକ ନିର୍ଦ୍ଦେଶନାମା ଜାରି ହୋଇ ନାହିଁ। ତେବେ ଏହାକୁ ପ୍ରୋତ୍ସାହନ ଦେବାକୁ ନୂଆ ସୁବିଧା ଘୋଷଣା କରିଛନ୍ତି ରାଜ୍ୟ ସରକାର। ୧୫ବର୍ଷ କିମ୍ବା ତାଠୁ ପୁରୁଣା ଗାଡ଼ି ଉପରେ ସମସ୍ତ ଟିକସ ଓ ଜରିମାନା ଛାଡ଼ କରାଯାଇଛି।

ଓଡ଼ିଶା ମୋଟର ଯାନ ଟିକସ ଆଇନ, ୧୯୭୫ର ଧାରା ୧୫(୧) ବଳରେ ୧୫ବର୍ଷରୁ ପୁରୁଣା ସମସ୍ତ ଗାଡ଼ି‌ ଉପରେ ଟିକସ ଏବଂ ବିଭିନ୍ନ ଜରିମାନାକୁ ବର୍ଷକ ପାଇଁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି ବାଣିଜ୍ୟ ଓ ପରିବହନ ବିଭାଗ।

ରାଜ୍ୟରେ ଯେପରି ଅଧିକରୁ ଅଧିକ ଇ-ଯାନ ଗଡ଼ିବ ଘରୋଇ ଗାଡ଼ିମାଲିକମାନଙ୍କୁ ସ୍କ୍ରାପିଂ ନେଇ ଉତ୍ସାହିତ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଟିକସ ଓ ଫାଇନ୍ କେବଳ ବର୍ଷକ ପାଇଁ ଛାଡ଼ କରାଯିବ। ଏଥିପାଇଁ ଗାଡ଼ିମାଲିକଙ୍କୁ ପଞ୍ଜୀକୃତ ଗାଡ଼ି ସ୍କ୍ରାପିଂ ସେଣ୍ଟରକୁ ନିଜ ଗାଡ଼ି ସ୍କ୍ରାପିଂ କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।