ଗହୀରମଥାରେ ଅସୁରିକ୍ଷିତ କି ଅଲିଭ ରିଡଲେ କଇଁଛ ? କାରଣ ଗତ ଦୁଇ ଦିନ ମଧ୍ୟରେ ପେଣ୍ଠ ବେଳାଭୂମିରେ ଲାଗିଛନ୍ତି ୧୩ ମୃତ କଇଁଛ । ବନବିଭାଗ ଏସବୁ କଇଁଛକୁ ପୋତୁଥିବା ବେଳେ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ପରିବେଶପ୍ରେମୀଙ୍କୁ ବ୍ୟଥିତ କରିଛି ।ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ୨ (ଶୁକ୍ରବାର ଓ ଶନିବାର) ଦିନରେ ୧୩ଟି ମୃତ ଅଲିଭ ରିଡଲେ କଇଁଛ ଦେଖିବାକୁ ମିଳିଛି । ବନ ବିଭାଗ ସେ ଗୁଡିକ ଦେଖି ପୋତିବାରେ ଲାଗିଛି । ଗହୀରମଥା ସାମୁଦ୍ରିକ ଅଭୟରଣ୍ୟରେ ଅଲିଭ ରିଡଲେ କଇଁଛ ଭିଡ଼ ଜମାଉଥିବା ବେଳେ ୨ ଦିନରେ ୧୩ଟି ମୃତ୍ୟୁବରଣ କରିବା ଘଟଣା ପ୍ରକୃତିପ୍ରେମୀଙ୍କୁ ବ୍ୟଥିତ କରିଛି ।ସାଧାରଣତ ନଭେମ୍ବର ମାସରୁ ଅଲିଭ ରିଡଲେ କଇଁଛ ନିଜର ବଂଶ ବିସ୍ତାର କରିବା ପାଇଁ ଗହୀରମଥାକୁ ଆସିଥାନ୍ତି । ଗହୀରମଥାରେ ଅଲିଭ ରିଡଲେଙ୍କ ଉପସ୍ଥିତ ଯୋଗୁଁ ଅଧିକ ପରିମାଣରେ ମାଛ ଉପଲବ୍ଧ ହୋଇଥାନ୍ତି । ମାଛ ଯାଆଳକୁ ଜେଲିଫିସ ଖାଇ ଦେଇଥାଏ । ଜେଲିଫିସକୁ ଅଲିଭ ରିଡଲେ ଖାଇ ମାଛ ବଂଶ ବୃଦ୍ଧିରେ ସହଯୋଗ ହୋଇଥାଏ । ଗହୀରମଥାରେ ଏହି ସମୟରେ ଅଧିକ ମାଛ ମିଳୁଥିବାରୁ ମାଛ ଧରିବା ପାଇଁ ଟ୍ରଲର ମାଲିକ ମାନେ ମାଛ ମାରୁଛନ୍ତି ଏବଂ ମାଛ ସହିତ ଅଲିଭ ରିଡଲେଙ୍କୁ ମାରୁଥିବା ଅଭିଯୋଗ ହୋଇଛି ।ଏନେଇ ଫରେଷ୍ଟ ଗାର୍ଡ ବିଜୟ ପାତ୍ର କହିଛନ୍ତି, ‘ଅଲିଭ ରିଡଲେର ସୁରକ୍ଷା ପାଇଁ ବନ ବିଭାଗର ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ଥାନା ପୋଲିସ ନିୟୋଜିତ ହେବା କଥା । କିନ୍ତୁ କେବଳ ବନବିଭାଗର ପାଟ୍ରୋଲିଂକୁ ଛାଡିଦେଲେ ଅନ୍ଯ ବିଭାଗର ପାଟ୍ରୋଲିଂ ଏତେଟା ଦେଖିବାକୁ ମିଳେନାହିଁ । ଗହୀରମଥା ସାମୁଦ୍ରିକ ସୀମା ବାହାରେ ମଧ୍ୟ କଟକଣା ନ ଥିବାରୁ ଶହ ଶହ ସଂଖ୍ୟାରେ ଟ୍ରଲର ମାଛ ଧରିବା ସହିତ କଇଁଛ ମାରି ଦେଉଛନ୍ତି ।’
