Odia News Portal

ଆଜିର ଦିନରେ କ୍ୟାପଟେନ କୋହଲି ଲଗାଇଥିଲେ ପ୍ରଥମ ଶତକ,ଫ୍ୟାନ୍ସ ହୋଇଥିଲେ ଚକିତ

ଭାରତୀୟ ଦଳର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ଓ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୧୧ ବର୍ଷ ତଳେ ଆଜିର ଦିନରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଶତକ ଲଗାଇଥିଲେ । କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମୁକାବିଲାରେ ବିଜୟ ଲକ୍ଷ୍ୟକୁ ପିଛା କରି ୧୦୭ ରନ୍ କରିଥିଲେ କୋହଲି । ବିରାଟ ଏବେସୁଦ୍ଧା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୭୦ଟି ଶତକ ଲଗାଇଛନ୍ତି । ସେହିପରି ସଚିନ ତେନ୍ଦୁଲକର ୧୦୦, ରିକି ପଣ୍ଟିଂ ୭୧ଟି ଶତକ ଲଗାଇଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳର ଖେଳାଳୀ ଉପଲ ଥରଙ୍ଗାଙ୍କ ୧୧୫ ରନ୍ ବଳରେ ୩୧୫ ରନ୍ କରିଥିଲା । ଭାରତ ୩୧୬ ରନର ପିଛା କରୁଥିବା ବେଳେ ଓପନିଂ ଯୋଡି ବିଫଳ ହୋଇଥିଲେ । ତେବେ ବିରାଟ ତୃତୀୟ ଓ୍ୱିକେଟରେ ଗୌତମ ଗମ୍ଭୀରଙ୍କ ସହ ୨୨୪ ରନ୍‌ର ପାର୍ଟନରସିପ୍ କରିଥିଲେ । ଏହି ଇନିଂସରେ କୋହଲି ୧୧୪ ବଲରୁ ୧୧ ଚୌକା ଓ ଗୋଟିଏ ଛକା ସହ ୧୦୭ ରନ୍ କରିଥିଲେ । ଗମ୍ଭୀର ମଧ୍ୟ ଏହି ମ୍ୟାଚରେ ୧୫୦ ରନ୍ କରିଥିଲେ ।ତେବେ ଭାରତ ଏହି ମୁକାବିଲାକୁ ୭ ଓ୍ୱିକେଟରେ ଜିତି ନେଇଥିଲା ।

କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୧୫ଟି, ଶ୍ରୀଲଙ୍କା ବିପକ୍ଷରେ ୧୩ ଟି, ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୧ ଟି , ନ୍ୟୁଜିଲାଣ୍ଡ-ଇଂଲଣ୍ଡ ବିପକ୍ଷରେ ୮ଟି, ଦକ୍ଷିଣ ଆଫ୍ରିକା ବିରୋଧରେ ୭ ଟି , ବାଂଲାଦେଶ ବିପକ୍ଷରେ ୫ଟି ଓ ପାକିସ୍ତାନ ବିପକ୍ଷରେ ୨ଟି ଓ ଜିମ୍ବାଓ୍ୱେ ବିପକ୍ଷରେ ଗୋଟିଏ ଶତକ ଲଗାଇଛନ୍ତି ।